ଯାଜପୁର: ମଦ ଦୋକାନକୁ ବିରୋଧ କରି ତାତିଲେ ମହିଳା । ଏକାଠି ହୋଇ ଭାଙ୍ଗିଲେ ୩ଟି ବେଆଇନ ଦେଶୀ ମଦ ଦୋକାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ଥାନା କଡମା ଅଞ୍ଚଳରେ । ଏହି ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଇଥିବା ବେଳେ ଏହାକୁ ବିରୋଧ କରି ମହିଳାମାନେ ହାତରେ ଝାଡୁ ଧରି ମଦ ଦୋକାନରେ ପହଞ୍ଚିଥିଲେ । ସେଠାରେ ବୋତଲରେ ଥିବା ସବୁ ମଦକୁ ରାସ୍ତାରେ ଢାଳିଦେବା ସହ ଦୋକାନ ଭଙ୍ଗାରୁଜା କରିଥିଲେ । ମଦ ବ୍ୟବସାୟୀଙ୍କ ସହ ଉତ୍ୟକ୍ତ ମହିଳାଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।
ଫଳରେ ସେଠାରେ ଚାପା ଉତ୍ତେଜନା ଦେଖା ଦେବାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲା । କିଛିଦିନ ହେବ ଏହି ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଇଥିଲା । ଘରର ରୋଜଗାରିଆ ପୁଅମାନେ ଦୈନିକ ମଦ ପିଇ ଘରେ କଳି ଝଗଡା ସୃଷ୍ଟି କରୁଥିଲେ । ଏମିତିକି ମହିଳା ମାନଙ୍କର ରାସ୍ତା ଘାଟରେ ବି ଚାଲିବା ମୁସ୍କିଲ ହୋଇ ଯାଇଥିଲା ।
ଏଥିରେ ଅତିଷ୍ଟ ହୋଇ ମହିଳା ମାନେ ବେଆଇନ ମଦ କାରବାରକୁ ବନ୍ଦ କରିବାକୁ ପୋଲିସ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ । ମାତ୍ର କିଛି ସୁଫଳ ନମିଳିବାରୁ ମହିଳାମାନେ ଏଭଳି ପଦକ୍ଷେପ ନେଇଥିଲେ । ମହିଳାମାନେ ହାତରେ ଠେଙ୍ଗା ବାଡି ଧରି ମଦ ଦୋକାନରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଯଦି ଆଗାମୀ ଦିନରେ ପୁଣି ଏଠି ମଦ ବିକ୍ରି କରାଯାଏ, ତେବେ ଦୋକାନକୁ ନିଆଁ ଲଗାଇ ଜାଳି ଦେବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି ।
ସେପଟେ ଏହି ବେଆଇନ ମଦ କାରବାର କଥା ସ୍ବାକାର କରିଛନ୍ତି ମଦ ବ୍ୟବସାୟୀ । ମହିଳା ମାନଙ୍କ ଏହି ପଦକ୍ଷେପ ପରେ ସାବାଡ ହୋଇଛନ୍ତି ଚୋରା ମଦ ବ୍ୟବସାୟୀ । ଆଗାମୀ ଦିନରେ ସେ ଆଉ ମଦ ବିକ୍ରି କରିବେ ନାହିଁ ବୋଲି କହିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଏହି ବେଆଇନ ମଦ କାରବାର ରୋକିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଯାଜପୁର ରୋଡ ଅବକାରୀ ବିଭାଗ ଅଧିକାରୀ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ