ଯାଜପୁର: ସାରା ଦେଶ ଆଜି ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କୋଭିଡ ନିୟମକୁ ଗୁରୁତ୍ୱ ଦେଇ ବିଭିନ୍ନ ଅନୁଷ୍ଠାନରେ ଆଜି ସ୍ଵାଧୀନତା ଦିବସ ପାଳନ କରାଯାଇଛି । କିନ୍ତୁ ଦେଶ ମାତୃକାକୁ ସମ୍ମାନ ଦେବା ପାଇଁ ଯାଜପୁର ରୋଡ ରେଳ ବିଭାଗ ପକ୍ଷରୁ ଏକ ନିଆରା ଢଙ୍ଗରେ ସ୍ବାଧୀନତା ଦିବସ ପାଳନ କରାଯାଇଛି ।
ରେଳ ଷ୍ଟେସନ ଭିତରେ ନିର୍ମାଣ ହେଇଛି ଏକ ୧୦୦ ଫୁଟର ଗମ୍ବୁଜ, ଯେଉଁଠି ଉଡୁଛି ଜାତୀୟ ତ୍ରିରଙ୍ଗା । ଏହାକୁ ନିର୍ମାଣ କରିବାକୁ ଲାଗିଥିଲା ପାଖାପାଖି ୧୫ଦିନ । ଆଜି ଭଳି ଦିନରେ ସହରରେ ସବୁଦିନ ପାଇଁ ରେଳ ବିଭାଗ ପକ୍ଷରୁ ଜାତୀୟ ପତାକା ଲଗା ଯାଇଥିବାରୁ ସହରବାସୀ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ରେଳ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ ବ୍ୟାସନଗରର ବୃଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ