ଯାଜପୁର: କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଶୁକ୍ରବାର ଜିଲ୍ଲାରେ ଲୋକଙ୍କୁ ସଚେତନ କରାଇଛନ୍ତି ସାଇରାମ ଗାନ୍ଧୀ । ପୁରା ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବାଣ୍ଟିଥିବା ସୂଚନା ମିଳିଛି ।
ସ୍ବଚ୍ଛଭାରତ ସଂପର୍କରେ ଲୋକଙ୍କୁ ସଚେତନ କରାଇ ଚର୍ଚ୍ଚାକୁ ଆସିଥିଲେ ସାଇରାମ । ତେବେ କୋରୋନା ପାଇଁ ଯାଜପୁରବାସୀଙ୍କୁ ସଚେତନ କରାଇ ପୁଣି ସାଇରାମ ଚର୍ଚ୍ଚା ଘେରକୁ ଆସିଛନ୍ତି । ସାଇରାମ ଶୁକ୍ରବାର ଯାଜପୁର ଅଧିଷ୍ଠାତ୍ରୀ ମା' ବିରଜାଙ୍କ ମନ୍ଦିରଠାରୁ ଏହି ସଚେତନତା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।
ପରେ ମନ୍ଦିର ନିକଟରୁ ଘଣ୍ଟ ବାଡେଇ ପୁରା ସହର ପରିକ୍ରମା କରି ଲୋକଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଥିଲେ । ଏହି ସବୁ ନିୟମ ମାନିଲେ କୋରୋନା ମହାମାରୀର ମୂଳପୋଛ ହୋଇପାରିବ ବୋଲି କହିଥିଲେ । ସଚେତନ କରିବା ସମୟରେ ବିଭିନ୍ନ ବ୍ୟକ୍ତିଙ୍କୁ ମାସ୍କ ମଧ୍ୟ ବଣ୍ଟନ କରିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ସାଇରାମ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କର ବେଶ ଧାରଣ କରିଥିଲେ ଏବଂ ଦ୍ବୀପ ପ୍ରଜ୍ବଳନ କରି ରାଜ୍ୟପାଳ ଗଣେଶୀ ଲାଲ ଓ ତାଙ୍କ ପତ୍ନୀ କୋରୋନାରେ ଆକ୍ରାନ୍ତ ଥିବାରୁ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି କୋରୋନା ସଚେତନତା ଲାଗି ନଗର ପରିକ୍ରମାରେ ବାହାରିଥିଲେ । ପୂର୍ବରୁ ସେ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାବ୍ୟାପୀ କୋରୋନା ସଚେତନତା କରିବା ପାଇଁ ଆଲୋଚନା କରିଥିବା ସୂଚନା ମିଳିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ