ଯାଜପୁର: ଜିଲ୍ଲା କୋରାଇ ଏବଂ ବିଞ୍ଝାରପୁର ବ୍ଲକରେ ଆସନ୍ତାକାଲି(ରବିବାର) ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ । ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି । କୋରାଇ ବ୍ଲକରେ ନିର୍ବାଚନକୁ ସୁପରିଚାଳନା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆଙ୍କ ତତ୍ତ୍ବାବଧାନରେ କୋରାଇ ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ପରିଡା ନିର୍ବାଚନ ପରିଚାଳନା କରୁଛନ୍ତି ।
କୋରାଇ ବ୍ଲକର 28ଟି ପଞ୍ଚାୟତରେ 408ଟି ଭୋଟ କେନ୍ଦ୍ରରେ 1 ଲକ୍ଷ 23 ହଜାର 933 ଜଣ ଭୋଟର ମତଦାନ କରିବେ । ଭୋଟକେନ୍ଦ୍ରଗୁଡିକର ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି l କୋରାଇ କେସି ଖୁଣ୍ଟିଆ ମହାବିଦ୍ୟାଳୟକୁ ଡିସପର୍ସାଲ ସେଣ୍ଟର କରାଯଇଛି । ଏଠାରୁ ଭୋଟବାକ୍ସ ଓ ବାଲାଟ ପେପର ସହ ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସର ଆଦି ପୁଲିଂ ପାର୍ଟିମାନଙ୍କୁ ଆଜି ବୁଥଗୁଡିକୁ ପଠାଯାଉଛି ।
ପ୍ରିଜାଇଡିଂ ଅଫିସରମାନେ ସଠିକ ରୂପେ ଦାୟିତ୍ବ ତୁଲାଇବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଭୋଟ ସରିବା ପରେ ଭୋଟ ବାକ୍ସଗୁଡିକ କୋରାଇ କଲେଜକୁ ଆସିବ ଓ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଥୋଡ଼ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ