ଯାଜପୁର: ଏସିଆ ମହାଦେଶର ଦ୍ବିତୀୟ ଶିଳ୍ପ ନଗରୀ କଳିଙ୍ଗନଗର । ଶିଳ୍ପାଞ୍ଚଳର ଉପକଣ୍ଠରେ ରହିଛି ବ୍ୟାସନଗର ସହର । ଲକ୍ଷାଧିକ ଲୋକ ବାସ କରୁଥିବାବେଳେ ସହରରେ ଏବେ ସମସ୍ୟା ହୋଇ ଛିଡା ହୋଇଛି ପାର୍କିଂ ଓ ଟ୍ରାଫିକ ସମସ୍ୟା । ହେଲେ ସମସ୍ତ ନିୟମକୁ ଉଲଂଘନ କରି ଖୋଲୁଛି ଗୋଟାକ ପରେ ଗୋଟିଏ ସପିଂ ମଲ୍ । ଫଳରେ ରାସ୍ତା ଦୁଇକଡ ପାଲଟିଛି ପାର୍କିଂ ଜୋନ୍ । ଯଦ୍ବାରା ଲୋକଙ୍କ ଯାତାୟାତରେ ନାନା ସମସ୍ୟା ଉପୁଜୁଛି ।
ଏହି ପୌରାଞ୍ଚଳ ମଧ୍ୟରେ ରହିଛି ଯାଜପୁର-କେଉଁଝର ରୋଡ ପ୍ରମୁଖ ରେଳଷ୍ଟେସନ । ପର୍ଯ୍ୟଟକ, ବ୍ୟବସାୟୀ ଓ ଶିଳ୍ପସଂସ୍ଥା ପାଇଁ ଏହାର ଯଥେଷ୍ଟ ଗୁରୁତ୍ବ ରହିଛି । ସହରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟତ ହେବା ସହିତ ଶହ ଶହ ଟ୍ରକ, ବସ ଓ ଅନ୍ୟାନ୍ୟ ଯାନବାହାନ ଯାତାୟାତ କରୁଛନ୍ତି । ଫଳରେ ଅଧିକାଂଶ ସମୟରେ ବଡ ବଡ ଦୁର୍ଘଟଣା ମାନ ଘଟି ଲୋକେ ମୃତାହତ ହେଉଛନ୍ତି । ବସଷ୍ଟାଣ୍ଡ କିମ୍ବା ରେଳଷ୍ଟେସନ ନିକଟରେ ଯାତ୍ରୀ ଯାନବାହନ ପାର୍କିଂ ଜୋନକୁ ଛାଡି ଦେଲେ ସହରରେ ପାର୍କିଂ ପାଇଁ କୌଣସି ସ୍ବତନ୍ତ୍ର ସୁବିଧା ନାହିଁ । ଫଳରେ ବେପରୁଆ ଭାବରେ ଗାଡି ଗୁଡିକୁ ଏଣେ ତେଣେ ରାସ୍ତା କଡରେ ପାର୍କିଂ କରାଯାଉଛି ।
ପରିସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପାଇଁ ମଧ୍ୟ କଷ୍ଟକର ବ୍ୟାପାର ହୋଇଛି । ତେବେ ଏହି ସମସ୍ୟାର ସମାଧାନ ନହେଲେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ