ଯାଜପୁର: କୋରୋନା ଲଢ଼େଇରେ ସାମିଲ ହୋଇଛନ୍ତି କାନାଡ଼ାର ପ୍ରବାସୀ ଓଡ଼ିଆ । ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ନିଜସ୍ବ ଖର୍ଚ୍ଚରେ ଅକ୍ସିଜେନ କନସେନଟ୍ରେଟର ରାଜ୍ୟକୁ ଦାନ କରିଛନ୍ତି । ଏଭଳି ଏକ ମହତ କାର୍ଯ୍ୟ କରିଛନ୍ତି ସୁଦୂର କାନାଡାର ଟରୋଣ୍ଟୋରେ ରହୁଥିବା ଓଡ଼ିଆ ଯୁବକ ଶିବାଶିଷ ଦାସ ।
ଶିବାଶିଷ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁର ଜିଲ୍ଲା ପ୍ରଶାସନକୁ ୫ଟି ଅକ୍ସିଜେନ କନ୍ସେନଟ୍ରେଟର ଦାନ କରିଛନ୍ତି । ବିଦେଶରେ ରହି ବି ଓଡ଼ିଶା ମାଟି ପ୍ରତି ଥିବା ଭଲ ପାଇବାକୁ ଭୁଲି ନାହାନ୍ତି ଶିବାଶିଷ ଦାସ । କୋରୋନାର କରାଳ କାୟାରୁ ବର୍ତ୍ତିବାକୁ କାନାଡାରେ ବାସ କରୁଥିବା ଓଡ଼ିଆ ଯୁବକ ଶିବାଶିଷ ଦାସ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଯାଜପୁର ସିମାନ୍ତ ଏରଡଙ୍ଗ ନଟରା ଗାଁରେ ଶିବାଶିଷଙ୍କ ଘର । ଅକ୍ସିଜେନ ପାଇବା ପାଇଁ ପ୍ରତିଦିନ କୋରୋନା ସଂକ୍ରମିତ ସଂଘର୍ଷ କରୁଛନ୍ତି ।
ଟରୋଣ୍ଟୋରେ ଶିବାଶିଷ ଜଣେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟକରୁଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସେ ୫ଟି ଅକ୍ସିଜେନ କନ୍ସେନଟ୍ରେଟର ଦାନ କରିଛନ୍ତି । ଆଗାମୀ ଦିନରେ ଆଉ ୩ଟି କନ୍ସେନଟ୍ରେଟର ଦାନ କରିବେ। ଏହାକୁ ନେଇ ଶିବାଶିଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଶିବାଶିଷଙ୍କ ଭଳି ଅନ୍ୟ ମାନେ ଏପରି ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି ।
ଯାଜପୁରର ଜିଲ୍ଲା ସ୍କୁଲ ଓ ଏନସି କଲେଜରେ ଶିକ୍ଷା ଗ୍ରହଣ କରିଛନ୍ତି ଶିବାଶିଷ । ସେ ଦାନ ଦେଇଥିବା ୫ଟି ଅକ୍ସିଜେନ କନସେନଟ୍ରେଟର ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବହୃତ ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ