ଯାଜପୁର: ଗାଁ ରାସ୍ତା ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ଥାନା ମୁକୁନ୍ଦପୁର ଅଞ୍ଚଳରେ । ଭାରିଯାନ ଚଳାଚଳକୁ ବିରୋଧ କରି କଡ଼ମିଆଁ ଛକରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଶହଶହ ବାଲି ବୋଝେଇ ଗାଡ଼ି । ଅଭିଯୋଗ ମୁତାବକ ବ୍ୟାସନଗର ତହସିଲ ଅଧିନ ମୁକୁନ୍ଦପୁର ଓ ମଥୁରାପୁର ଅଞ୍ଚଳରେ ବୈତରଣୀ ନଦୀରେ ପ୍ରଶାସନ ପକ୍ଷରୁ ୩ଟି ବାଲିଘାଟ ନିଲାମ ଦିଆଯାଇଛି ।
ତେବେ ଏହି ୩ଟି ବାଲି ଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଭାରିଯାନ ଯୋଗେ ଗାଁ ରାସ୍ତା ଦେଇ ପରିବହନ କରାଯାଉଛି । ଫଳରେ ଗାଁ ରାସ୍ତା ଖରାପ ହେବା ସହ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମିତିକି ସ୍କୁଲ କଲେଜ ଯିବା ପାଇଁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ଦେଇ ଆମ୍ବୁଲାନ୍ସଟିଏ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ପୂର୍ବରୁ ସ୍ଥାନୀୟ ଲୋକେ ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଏହାରି ପ୍ରତିବାଦରେ ଆଜି(ବୁଧବାର) ସକାଳୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଗାଁ ରାସ୍ତା ଦେଇ ବାଲି ପରିବହନ ବନ୍ଦ କରିବାକୁ ଲୋକେ ଦାବି ଜଣାଇଛନ୍ତି । ସେପଟେ ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୋଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ