ଯାଜପୁର: ଜିଲ୍ଲା ଟାଉନ ଥାନା ରାମମନ୍ଦିର ନୂଆଗାଁ ଅଞ୍ଚଳରେ ବଧୂହତ୍ୟା ଅଭିଯୋଗ । ମୃତକ ହେଲେ ଦୀପ୍ତିରଞ୍ଜନ ପାତ୍ରଙ୍କ ପତ୍ନୀ ଜ୍ୟୋତିରାଣୀ । ଜ୍ୟୋତିରାଣୀ ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ଶାଶୁଘର ଲୋକେ ନାନା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ବିବାହ ପରେ ଅଧିକ ଯୌତୁକ ପାଇଁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ଏହାକୁ ନେଇ ଅନେକ ସମୟରେ ଝଗଡା ହୋଇଥିଲା ।
ଏଥିପାଇଁ ଜ୍ୟୋତିରାଣୀ ନିଜ ବାପ ଘରକୁ କିଛି ମାସ ତଳେ ପଳାଇ ଆସିଥିଲେ । କିନ୍ତୁ ଶାଶୁ ଘର ଲୋକେ ପୁଣି ବୁଝାସୁଝା କରି ଘରକୁ ଆଣିଥିଲେ । ତଥାପି ନିର୍ଯାତନା କମିନଥିଲା । ତେବେ ହଠାତ୍ ମଙ୍ଗଳବାର ଜ୍ୟୋତିରାଣୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଖବର ପାଇଥିଲେ । ଏନେଇ ଜ୍ୟୋତିରାଣୀଙ୍କ ବାପ ଘର ପକ୍ଷରୁ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ୱାମୀ ଦୀପ୍ତିରଞ୍ଜନଙ୍କୁ ଅଟକ ରଖିଛି ।
ସେପଟେ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ