ଯାଜପୁର: ନିହାତି ଏକ ଗରିବ ଆଦିବାସୀ ପରିବାର। ଘରେ ଚୁଲି ନାହିଁ କି ଚାଳ ନାହିଁ। ଘରରେ ଭେଣ୍ଡିଆ ପୁଅକୁ ଏବେ କ୍ୟାନସର ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ବାପା ତେଣେ ଯକ୍ଷ୍ମା ରୋଗର ପିଡ଼ିତ ହୋଇ ଘରୁ ଗୋଡ଼ କାଢ଼ିବାକୁ ଅସମର୍ଥ। ଏଭଳି ସ୍ଥିତିରେ ଘରେ ଚୁଲି ଜଳିବା ବି କଷ୍ଟକର ହୋଇପଡିଛି। ଯେତେବେଳେ ନିଜ ସ୍ଵାମୀ ଓ ପୁଅ ଘରେ ରୋଗରେ ପଡ଼ି ଛଟପଟ ହେଉଛନ୍ତି ସେତେବେଳେ ମା ବା କେମିତି ଧର୍ଯ୍ୟ ଧରିବ! ସେମାନେ କିପରି ସୁସ୍ଥ ହେବେ ତାହା ହିଁ ମା ପାଇଁ ଚିନ୍ତାର ବିଷୟ ସାଜିଛି। ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ୟାସନାଗର ପୋୖରାଞ୍ଚଳ ଅନ୍ତର୍ଗତ ଆଦିବାସୀ ପ୍ଲଟ ଅଞ୍ଚଳର ଆଦିବାସୀ ଯୁବକ ବଣ୍ଟି ମୁଣ୍ଡେୟାଙ୍କ କଥା।
ଏହି ବସ୍ତିରେ ବାସ କରନ୍ତି ବଣ୍ଟି ମୁଣ୍ଡେୟାଙ୍କ ପରିବାର। ବଣ୍ଟି ଛୋଟ ମୋଟ ଇଲେକ୍ଟ୍ରି ମରାମତି କାମ କରି ପରିବାର ଚଳାଉଥିଲା। ବର୍ଷକ ତଳେ ହଠାତ ବଣ୍ଟ ଇଲେକ୍ଟ୍ରି ଖୁଣ୍ଟରୁ ପଡିଯିବା ପରେ ତାର ବାମ ଗୋଡ଼ଟି ଅଚଳ ହୋଇଯାଇଥିଲା। ଚିକିତ୍ସା ଅଭାବରୁ ଗୋଡ଼ଟି ଫୁଲିବାକୁ ଲାଗିଲା। ଚିକିତ୍ସା ଅଭାବରୁ ଏହା ଧୀରେ ଧୀରେ କ୍ୟାନ୍ସର ଆଡ଼କୁ ଗତିକଲା। ଏବେ ସେ ଶଯ୍ୟାଶାୟୀ । ସେପଟେ ବଣ୍ଟିଙ୍କ ବାପା ମଧ୍ୟ ଯକ୍ଷ୍ମା ଏବଂ ଟିୟୁମର ଦୁଇ ଦୁଇଟି ରୋଗରେ ପିଡ଼ିତ। ବିଶେଷ କରି ବଣ୍ଟିଙ୍କ ମା ଏବେ ନିରୁପାୟ । ଏଭଳି ସ୍ଥିତିରେ ଡାକ୍ତର ଏବେ ବଣ୍ଟିର ଏହି ଗୋଡ଼ଟିକୁ କାଟିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ନିରୁମାୟ ମା ଟି ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ପାଲଟିଛନ୍ତି । ଏପରି ସ୍ଥିତିରେ ନିଜ ଗୋଡ଼ଟି କାଟିବା ପାଇଁ ସରକାରଙ୍କୁ ସହାୟତାର ହାତ ପାତିଛନ୍ତି ବଣ୍ଟି ଓ ତାଙ୍କ ପରିବାର ।
ସେପଟେ କୋରୋନା କଟକଣା ସମୟରେ ବଣ୍ଟିର ଏଭଳି ଅବସ୍ଥା ପରେ ସ୍ଥାନୀୟ ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ଯୁବକ ବଣ୍ଟିକୁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାର ଚିକିତ୍ସା ପାଇଁ ରକ୍ତ ଯୋଗାଡ଼ କରିଦେଲେ । ଏପରିକି ପରିବାର ଚଳାଇବା ପାଇଁ ରାସନ ସାମଗ୍ରୀ ମଧ୍ୟ ଯୋଗାଇଦେଲେ। କିନ୍ତୁ ବଣ୍ଟି ଏବଂ ତା ବାପାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ସରକାର ଏବଂ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଗଲେ ବଣ୍ଟି ସୁସ୍ଥ ହୋଇପାରନ୍ତା ବୋଲି ସ୍ୱେଚ୍ଛାସେବୀମାନେ ମଧ୍ୟ ନିବେଦନ କରିଛନ୍ତି । ବଣ୍ଟିର ପରିବାରକୁ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଯୋଗାଇଦେବା ଏକାନ୍ତ ଆବଶ୍ୟକ । ବଣ୍ଟି ସୁସ୍ଥ ହେଲେ ପରିବାର ଭଲରେ ବଞ୍ଚିପାରିବେ । ତେବେ ଏ ସମସ୍ୟା ନେଇ ଆମେ ଭେଟିଥିଲୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ । ବଣ୍ଟିର ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ଅଧିକ ଚିକିତ୍ସା ପାଇଁ ପଠା ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଯଦି ବଣ୍ଟିର ଏହି ଜୀବନ ରକ୍ଷା ପାଇଁ କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଏହି ବ୍ୟାଙ୍କ(ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ) ଆକାଉଣ୍ଟ ନଂ-୩୭୨୨୭୪୪୭୮୮, ଆଇ.ଏଫ.ଏସ.ସି,କୋର୍ଡ଼ CBIN-0281446, ମୋବାଇଲ ନଂ-6371403431ରେ ଯୋଗାଯୋଗ କରିପାରିବେ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ