ଯାଜପୁର: ରାଜ୍ୟ ସରକାରଙ୍କ ଲକ୍ ଡାଉନ ନିୟମକୁ ଜନସାଧାରଣଙ୍କ ବେଖାତିର୍ । କୋରୋନା ସଂକ୍ରମଣକୁ ରୋକିବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍ ଡାଉନ ନିୟମକୁ ଯାଜପୁର ରୋଡ଼ରେ ସାଧାରଣ ଜନତା ମାନୁ ନଥିବା ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ୭ଟି ଜିଲ୍ଲାର ୮ଟି ସହରରେ ରବିବାର ଠାରୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହା ମଧ୍ୟରେ ଯାଜପୁର ଜିଲ୍ଲାର ଯାଜପୁର ଟାଉନ୍ ଓ ଯାଜପୁର ରୋଡ ସହରରେ ଲକ୍ ଡାଉନ ପାଇଁ ନିୟମ କାର୍ଯ୍ୟକାରୀ ହୋଇଛି । ରବିବାର ଏହି ଲକ୍ ଡାଉନର ୨ୟ ଦିନରେ ମଧ୍ୟ କାଁ ଭାଁ ଦୋକାନକୁ ଛାଡିଦେଲେ ମୋଟାମୋଟି ଭାବରେ ଦୁଇଟି ଯାକ ସହରରେ ଦୋକାନ ବଜାର ବନ୍ଦ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଜାରି ରହିଛି ।
ଲକ୍ ଡାଉନ୍ ଯୋଗୁଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦପ୍ତର ବ୍ୟତୀତ ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଦପ୍ତର ବନ୍ଦ ରହିଛି । ସଂକ୍ରମଣର ସମ୍ଭାବନା ଥିବା ସ୍ଥାନ ଗୁଡିକୁ ଆସନ୍ତା ସାତଦିନ ପାଇଁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ପୋଲିସ୍ ପ୍ୟାଟ୍ରୋଲିଂକୁ କଡାକଡି କରାଯାଇଥିବା ବେଳେ ଛକ ସ୍ଥାନ ମାନଙ୍କରେ ପୋଲିସ୍ ମୁତୟନ ହୋଇଛନ୍ତି । ସେହିପରି ଡାକବାଜୀ ଯନ୍ତ୍ର ସହାୟତାରେ ପୋଲିସ୍ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ସତର୍କ କରିବା ପାଇଁ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ।
ଅପରପକ୍ଷେ ସୋମବାର କିଛି ଲୋକଙ୍କୁ ଏହି ନିୟମ ମାନୁନଥିବାର ଦେଖିବାକୁ ମିଳିଛି । ଏକ ସମୟରେ ସ୍ଥାନୀୟ ଗ୍ରୀନ୍ ମାର୍କେଟରେ ପରିବା କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ସେହିପରି ଷ୍ଟେସନ ବଜାରରେ ମଧ୍ୟ କେତେକାଂଶରେ ଲୋକମାନେ ବାଇକ୍ କିମ୍ବା ଅନ୍ୟ ଯାନବାହାନରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳୁଛି ।
ଏଥିସହିତ ଯାଜପୁରର କଳିଙ୍ଗନଗରରେ ଅଧିକାଂଶ କଳକାରଖାନା ପ୍ରତିଷ୍ଠା ଚାଲୁ ରହିଥିବାରୁ ପ୍ରତ୍ୟେକ ଦିନ ବାହାରୁ ଏଠାକୁ କାମ କରିବାକୁ ହଜାରହ ଜାର ଲୋକ ଆସୁଛ । ଯଦ୍ବାରା କୋରୋନା ସଂକ୍ରମଣ ବ୍ୟାପିବାର ସୁଯୋଗ ଅଛି । ତେଣୁ ଏହି କାରଖାନା ପ୍ରତିଷ୍ଠା ଗୁଡିକୁ କିଛିଦିନ ପାଇଁ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି । ତେବେ ଏଥିପାଇଁ ପୋଲିସ୍ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିଯାଇଥିବା ବେଳେ ଜନସାଧାରଣ ମଧ୍ୟ ନିଜେ ସତର୍କ ଓ ସଚେତନ ହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ