ଯାଜପୁର: ବଜ୍ରପାତରେ ୨ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଡମଧୁପୁର ପଞ୍ଚାୟତର ଭୁବନପୁର ଗ୍ରାମରେ । ମୃତକଦ୍ବୟ ହେଲେ ବାବନ ମଲିକଙ୍କ ପୁଅ ଚନ୍ଦନ (୧୬) ଓ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି (୨୦)। ଉଭୟ ମଧ୍ୟାହ୍ନ ସମୟରେ ଗାଁ ନିକଟ ବିଲକୁ ଘାସ କାଟିବାକୁ ଯାଇଥିଲେ । ସେହି ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ଫଳରେ ଦୁହେଁ ରାସ୍ତା ଉପରେ ଟଳି ପଡ଼ିଥିଲେ । ଏହାଦେଖି ବାଟରେ ଯାଉଥିବା ଲୋକେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।
ଖବରପାଇ ଗ୍ରାମବାସୀ ଓ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚଥିଲେ । ସେଠାରୁ ଉଭୟଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଉଭୟଙ୍କ ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି । ପୁଅକୁ ହରାଇ ମାଆ ମୁଣ୍ଡ ପିଟି କାନ୍ଦୁଛି । ପୁଅ ଆଉ ଫେରିବନି ଜାଣି ଚେତା ହରାଇ ବସୁଛି ମାଆ । ସେପଟେ ବାପ ମଧ୍ୟ ପୁଅକୁ ହରାଇ ଭାଙ୍ଗି ପଡ଼ିଛି । ପୁଅ କଥା ଭାବି ଆଖିରୁ ଲୁହ ଝରାଉଛି । ଆଉ ନିଜ ଭାଗ୍ୟକୁ ନିନ୍ଦୁଛି ।
ପରିବାରରେ ଖେଳିଯାଇଛି ଦୁଃଖର ବାଦଲ । ପୁଅଙ୍କୁ ହରାଇ କୋହ ସମ୍ଭାଳି ପାରୁନାହାନ୍ତି ପରିବାର ଲୋକେ । କିଛି ବୁଝିବା ଆଗରୁ ସବୁ କିଛି ଅନ୍ଧାର ହୋଇଯାଇଛି । କାହାକୁ କଣ କହିବେ କେମିତି ଧର୍ଯ୍ୟ ଧରି ବସିବେ ସେନେଇ କିଛି ଭାବି ପାରୁନାହାନ୍ତି ।
ଇଟିଭି ଭାରତ, ଯାଜପୁର