ଯାଜପୁର: ଶିଳ୍ପ ସହର କଳିଙ୍ଗନଗରରେ ଉଦଯାପିତ ହୋଇଯାଇଛି 3ୟ କଳିଙ୍ଗନଗର ମହୋତ୍ସବ-2019 । କଳିଙ୍ଗନଗର ପରିଚୟକୁ ପରିବ୍ୟାପ୍ତ କରିବା ପାଇଁ ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ନେତୃତ୍ବରେ ଦୀର୍ଘ ତିନି ବର୍ଷ ଧରି ଆୟୋଜିତ ହୋଇଆସୁଛି କଳିଙ୍ଗନଗର ମହୋତ୍ସବ । ତେବେ ବଡ ଧୁମଧାମରେ ଶେଷ ହୋଇଛି ଚଳିତ ବର୍ଷର ମହୋତ୍ସବ ।
ମେଳାରେ ସ୍ଥାନୀୟ ଶିଳ୍ପସଂସ୍ଥାଙ୍କ ସହିତ ବିଭିନ୍ନ କୁଟୀର ଶିଳ୍ପ, ହସ୍ତଶିଳ୍ପ ଓ ବୟନ ଶିଳ୍ପର ଷ୍ଟଲ ମଧ୍ୟ ସ୍ଥାନ ପାଇଥିଲା । ପ୍ରତିଟି ସଂନ୍ଧ୍ୟାରେ ଓଲିଉଡ୍ ଏବଂ ବଲିଉଡ୍ ଷ୍ଟାରଙ୍କ ଉପସ୍ଥିତିରେ ରଙ୍ଗୀନ ଆଲୋକର ତରଙ୍ଗମାଳାରେ ଝଟକୁ ଥିଲା ମଞ୍ଚ । ରାଜ୍ୟ ତଥା ରାଜ୍ୟ ବାହାରୁ ନାମିଦାମୀ କଳାକାରଙ୍କ ଦ୍ବାରା ପରିବେଷିତ ହୋଇଥିଲା ନୃତ୍ୟସଙ୍ଗୀତ । ଯାହାର ଭରପୁର ମଜାନେଇଥିଲେ ଦର୍ଶକ ।
ଗତକାଲିର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଥିଲେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସେ କଳିଙ୍ଗନଗରର ସାମଗ୍ରିକ ବିକାଶ ପାଇଁ ପ୍ରତିଶୃତି ଦେବା ସହିତ ବିଧାୟକଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା ମଧ୍ୟ କରିଥିଲେ । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ ଶିଳ୍ପସଂସ୍ଥା ଓ ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । ଏହାସହ ବିଧାୟକଙ୍କ ପିତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ।
ଅନ୍ୟ ପକ୍ଷରେ ଶିଳ୍ପ ସହର କଳିଙ୍ଗନଗରରେ ଶିଳ୍ପମନ୍ତ୍ରୀଙ୍କ ମହୋତ୍ସବରେ ଯୋଗଦାନ ଏବଂ ପ୍ରତିଶୃତି ଆଗାମୀ ଦିନରେ ଏହାର ଅର୍ଥନୈତିକ ଅଭିବୃଦ୍ଧି ତଥା ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଆଶାପ୍ରକଟ କରିଛନ୍ତି ଅଞ୍ଚଳବାସୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ