ଯାଜପୁର: ସୋମବାର ଠାରୁ କଳିଙ୍ଗନଗର ମହୋତ୍ସବ-2019 । ପାଞ୍ଚ ଦିନ ଧରି ଉତ୍ସବ ମୁଖରିତ ହେବ ସାରା ଶିଳ୍ପାଞ୍ଚଳ । ଜିଲ୍ଲା ପ୍ରଶାସନ ଏବଂ କଳିଙ୍ଗନଗରର ଶିଳ୍ପ ସମୂହଙ୍କ ସହଯୋଗରେ ତିନି ବର୍ଷ ହେବ ଆୟୋଜିତ ହେଉଛି ଏହି ମହୋତ୍ସବ । ସେଥିପାଇଁ କଳିଙ୍ଗନଗର ଶିଳ୍ପାଞ୍ଚଳର ତେଲିବାହାଳି ଠାରେ ଚାଲିଛି ଜୋରଦାର ପ୍ରସ୍ତୁତି । ବିଜୁ ବାବୁଙ୍କ ସ୍ବପ୍ନର କଳିଙ୍ଗନଗର ଆଜି ଏସିଆ ମହାଦେଶର ଏକ ଷ୍ଟିଲ ହବରେ ପରିଣତ ହୋଇଛି । ଏଠାରେ ଅନେକ ଇସ୍ପାତ ପ୍ରକଳ୍ପ ଗଢି ଉଠିବା ସହ ଏ ଅଞ୍ଚଳର ଶିଳ୍ପାୟନ ଦ୍ରୁତଗତିରେ ଆଗେଇ ଚାଲିଛି । ଏହାକୁ ଲକ୍ଷ୍ୟ କରି ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ନେତୃତ୍ବରେ କଳିଙ୍ଗନଗରରେ ପାଳିତ ହେଉଛି କଳିଙ୍ଗନଗର ମହୋତ୍ସବ ।
ମହୋତ୍ସବକୁ ଜାକଜମକରେ ପାଳନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି ଜିଲ୍ଲା ପ୍ରଶାସନ ଓ କଳିଙ୍ଗନଗର ଶିଳ୍ପ ସମୂହ । ବିଜୁ ବାବୁ ଯଖପୁରା ଠାରେ ପ୍ରଥମେ ଏକ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଦିନ ହିଁ ଏ ଅଞ୍ଚଳର ନାଁ ଦେଇଥିଲେ କଳିଙ୍ଗନଗର । ଏବେ ଏଠାରେ ଗଢି ଉଠିଲାଣି ଅନେକ ଗୁଡିଏ ଇସ୍ପାତ୍ ପ୍ରକଳ୍ପ ।
ତେଲିବାହାଳିରେ ଲଗାତାର ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ଏହି କଳିଙ୍ଗନଗର ମହୋତ୍ସବ । ଚିକିମିକ୍ ଆଲୁଅରେ ଚମକି ଉଠିବ କଳିଙ୍ଗନଗର ଶିଳ୍ପାଞ୍ଚଳ । ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଯେଉଁଥିରେ ଯୋଗ ଦେବେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ବକ୍ତା, ଅତିଥି ଓ କଳାକାର । ଯାହାକୁ ଉପଭୋଗ କରିବେ ହଜାର ହଜାର ଦର୍ଶକ ।
ଶିଳ୍ପସଂସ୍ଥା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଅଣ୍ଟା ଭିଡିଛନ୍ତି । ବିଧାୟକଙ୍କ ନେତୃତ୍ବରେ ସ୍ଥାନୀୟ ଜନପ୍ରତିନିଧି ଓ ସ୍ବେଚ୍ଛାସେବୀ ଯୁବକ ମଧ୍ୟ ଉତ୍ସାହର ସହ ଶେଷ ପ୍ରସ୍ତୁତିରେ ଲାଗିପଡିଛନ୍ତି । ମହୋତ୍ସବକୁ କିପରି ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରାଯିବ ସେଥିପାଇଁ କରାଯାଉଛି ନାନା ପ୍ରକାର ପରିକଳ୍ପନା । ଦର୍ଶକ ମଧ୍ୟ ଚାହିଁ ବସିଛନ୍ତି ମହୋତ୍ସବର ମଜା ନେବାକୁ । ସେପଟେ ଟ୍ରାଫିକ ନିୟନ୍ତ୍ରଣ ଓ ପକେଟମାରକୁ ନେଇ ବିଭିନ୍ନ ଛକରେ ସିସିଟିଭିର ବ୍ୟବସ୍ଥା ହୋଇଛି ବୋଲି କଳିଙ୍ଗନଗର ଅତିରିକ୍ତ ଏସପି କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ