ଯାଜପୁର : ଟାଉନ ଥାନା ମୋଟରଙ୍ଗାପାଳ ଅଞ୍ଚଳରେ ଗତ ୩୦ ତାରିଖରରେ ଜୁଳମଣି ପରିଡାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନ୍ୟାୟ ଦେବା ଦାବିରେ ପାଣିକୋଇଲିସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ପତ୍ନୀ ଓ ପରିବାର । ଗତ ୩୦ ତାରିଖରେ ଜୁଳମଣିଙ୍କ ପତ୍ନୀ ସ୍ବାମୀକୁ ମଦ ପିଆଇ ହତ୍ୟା କରାଯାଇଥିବା ଯାଜପୁର ସଦର ଥାନାରେ ଅଭିଯୋଗ କରିଥିଲେ ।
ମାତ୍ର ଆଜିକୁ ୧୧ ଦିନ ବିତିଯାଇଥିଲେ ବି ପ୍ରକୃତ ଦୋଷୀକୁ ଯାଜପୁର ପୋଲିସ ନଧରି ପକ୍ଷପାତିତା କରୁଥିବା ମୃତ ଜୁଳମଣିଙ୍କ ପତ୍ନୀ ଅଞ୍ଜଳୀ ଅଭିଯୋଗ କରିଛନ୍ତି । ସେପଟେ ସ୍ବାମୀଙ୍କୁ ନ୍ୟାୟ ଦେବା ଦାବିରେ ଜୁଳମଣି ପରିବାରଙ୍କ ଲୋକେ ଏସପି ରାହୁଲ ପିଆରଙ୍କୁ ଆଜି ଭେଟିଛନ୍ତି । ଏସପି ରାହୁଲ ପିଆର ଅଞ୍ଜଳୀଙ୍କ ସମସ୍ତ ଅଭିଯୋଗକୁ ଶୁଣିବା ସହିତ ଦୋଷୀ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ମଧ୍ୟ ସୂଚନା ମିଳିଛି ।
ସୂଚନା ମୁତାବକ ଜୁଳମଣି ଗତ ୨୯ ତାରିଖ ଚୈତ୍ର ପୂର୍ଣ୍ଣିମା ଦିନ ଘରୁ କେଉଁଆଡ଼େ ଯାଇଥିବାବେଳେ ବିଳମ୍ବ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ତା ପରଦିନ ମୋଟରଙ୍ଗାପାଳ ଛକ ନିକଟରେ ଜୁଳମଣିଙ୍କ ମୃତଦେହ ଉଦ୍ଧାର କରିଥିଲେ ପରିବାର ଲୋକ। ସେପଟେ ଘର ଠାରୁ ୨୦୦ ମିଟର ଦୂରରେ ମଦ ରନ୍ଧା ଯାଉଥିବା ସ୍ଥାନର କିଛି ଦୂରରେ କେହି ଦୁର୍ବୃତ୍ତ ଜୁଳମଣିଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ମାତ୍ର ଏତଲା ପରେ ମଧ୍ୟ ସଠିକ ତଦନ୍ତ ହେଉନଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଶେଷରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ