ଯାଜପୁର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ‘ଜୟ ଜଗନ୍ନାଥ ସେବା ଗ୍ରୁପ ଓଡିଶା’ର କର୍ମକର୍ତ୍ତା । ଯାଜପୁର କୁଆଖିଆ ବଜାରରେ ଅସହାୟ ମାନଙ୍କୁ ସେବା କରିବା ସହ ଯାତ୍ରୀ ବିଶ୍ରାମାଗାରକୁ ପରିଷ୍କାର କରି ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ।
ଏ ଦୃଶ୍ୟ କୌଣସି ଡାକ୍ତରୀ ଦଳର ନୁହେଁ । ବରଂ ଏମାନେ ସାଧାରଣ ମଣିଷ । ସେବା କରିବା ପାଇଁ ମନଭିତରେ ଏମାନେ ଯେମିତି ପଣ କରିଛନ୍ତି । ଜୟ ଜଗନ୍ନାଥ ସେବା ଗ୍ରୁପ ଗଠନ କରି ସମାଜର ଅସୁସ୍ଥ, ଅସହାୟମାନଙ୍କର ଚିକିତ୍ସା ନିମନ୍ତେ ଅଣ୍ଟା ଭିଡିଛନ୍ତି । ସହର ବଜାରରେ ବୁଲୁଥିବା ମାନସିକ ବିକୃତ ମଣିଷମାନଙ୍କର ସେବା କରିବା ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ । ସେଥିପାଇଁ ଏମାନେ ଯାଜପୁର ଜିଲ୍ଳା କୁଆଖିଆ ବଜାରରେ ପହଞ୍ଚି ଆରମ୍ଭ କରିଥିଲେ ସେମାନଙ୍କ କାର୍ଯ୍ୟ । ଅନୁଷ୍ଠାନର ଯୁବକ ମାନଙ୍କର ଏପରି କାମ ଦେଖି ଯେକେହି ଅଟକିଯାଇ ଏମାନଙ୍କର ଏହି ଉଦ୍ୟମକୁ ପ୍ରଶଂସା କରୁଥିଲେ ।
ବିଭିନ୍ନ ସ୍ଥାନରେ ଅସହାୟ ଅବସ୍ଥାରେ ପଡିଥିବା ମଣିଷଙ୍କୁ ଉଦ୍ଧାର କରି ସେମାନଙ୍କ ସେବାସୁଶ୍ରୁସା କରୁଛନ୍ତି । ଖାଦ୍ୟ, ବସ୍ତ୍ର, ଔଷଧ ଦେଇ ଏହି ଅନୁଷ୍ଠାନ ସେବା କରୁଛନ୍ତି ।
ଜୟ ଜଗନ୍ନାଥ ସେବା ଗ୍ରୁପ ଓଡିଶାର ଏପରି ପ୍ରେରଣାଦାୟୀ କାମ ସମ୍ପର୍କରେ ଖବର ପାଇ ସେଠାରେ ପହଞ୍ଚିଥିଲେ ଯାଜପୁର ଜିଲ୍ଳା ପରିଷଦର ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି । ଜୟ ଜଗନ୍ନାଥ ସେବା ଗ୍ରୁପ ଓଡିଶାର ଏହି ସେବାକୁ ପ୍ରଶଂସା କରି ସହ ସେମାନଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ