ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସ ସରୋବର ଅଞ୍ଚଳରୁ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗତକାଲି (ରବିବାର) ବିଳମ୍ବିତ ରାତିରେ ଯାଜପୁର ରୋଡ ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ କୌଣସି ଏକ ସୂତ୍ରରୁ ବ୍ୟାସ ସରୋବରରେ କିଛି ଯୁବକ ଡକାୟତ ଯୋଜନା କରୁଥିବା ଖବର ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାକୁ ସଫଳ ହୋଇଥିଲା । 5ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ ।
ଏହି ଡକାୟତମାନେ ପୂର୍ବରୁ ମଧ୍ୟ ବହୁ ଡକାୟତ ଘଟଣାରେ ସମ୍ପୃକ୍ତ ରହିଥିବା ସୂଚନା ଦେଇଛନ୍ତି। ଏହାସହ କିଛି ଦିନ ତଳେ ଯାଜପୁର ଯୋଗୀ ସାହିରେ ହୋଇଥିବା ଡକାୟତୀ ଘଟଣାରେ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ଥିଲେ । ରବିବାର ବିଳମ୍ବିତ ରାତିରେ ଏହି ଡକାୟତମାନେ ବ୍ୟାସସରୋବର ନିକଟରେ ଡକାୟତି କରିବାକୁ ଯୋଜନା କରୁଥିଲେ । ପୋଲିସ ପହଞ୍ଚି ଏହି ଡକାୟତୀ ଯୋଜନାକୁ ପଣ୍ଡ କରିଥିଲା। ଘଟଣାସ୍ଥଳରୁ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳ ଦୁଇ ଜଣ ଡକାୟତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, କିଛି ମାରଣାସ୍ତ୍ର, 9ଟି ମୋବାଇଲ, ହାତଘଣ୍ଟା,ଦୁଇଟି ଜୀବନ୍ତ ବୋମା, ଗୋଟିଏ ବାଇକ, ସୁନା ମୁଦି ଆଦି ଜବତ କରିଛି ପୋଲିସ ।
ଏହି ଅଭିଯୁକ୍ତମାନେ ଆଉ କେଉଁ କେଉଁ ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବା ନେଇ ଯାଜପୁର ପୋଲିସ ଏସଡପିଓ ଚିନ୍ମୟ ନାୟକ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ