ଯାଜପୁର: ବୈତରଣୀ ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ କୋରେଇ ବ୍ଳକର ପାଞ୍ଚୋଟି ପଞ୍ଚାୟତର ପାଖପାଖି ୩୦ରୁ ଉର୍ଦ୍ଧ୍ବ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଏହାସହ ବ୍ୟାପକ ଚାଷ ଜମି ଜଳମଗ୍ନ ହେଇଯାଇଛି । ତେବେ ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ,କୋରେଇ ବିଡ଼ିଓ ,ତହସିଲଦାର ଓ ବ୍ଲକର ସମସ୍ତ ଅଧିକାରୀ ମୁକୁନ୍ଦପୁର, ବନ୍ଧାଳ ଓ ଗୌରୀପୁର ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି ।
ତେବେ ବୈତରଣୀର ଜଳସ୍ତର ଆଖୁଆପଦା ଠାରେ ସକାଳ 8ଟା ସୁଦ୍ଧା 19.63 ମି ରେକର୍ଡ ହୋଇଛି । ଏଠି ବିପଦ ସଙ୍କେତ ରହିଛି 17.83 ମି । ସେପଟେ ବଲ୍ଲଭୀ ଘାଟ ଠାରେ ବିପଦ ସଙ୍କେତ 13.34ମିଟର ଥିବା ବେଳେ ଏହା ଏବେ 14.05ମିଟର ଉପରେ ପ୍ରବାହିତ ହେଉଛି ।
ସେହିପରି ଦଶରଥପୁର ଠାରେ ବିପଦ ସଙ୍କେତ 9.52ମିଟର ଥିବା ବେଳେ ବର୍ତ୍ତମାନ ଏହା 11.83 ମିଟର ଉପରେ ପ୍ରବାହିତ ହେଉଛି । ଫଳରେ ଯାଜପୁର, କୋରେଇ, ବରୀ, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି ।
ରାଜ୍ୟରେ ତୃତୀୟ ଦିନରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧିଯୋଗୁ କୋରେଇ ବ୍ଳକର ମକୁନ୍ଦପୁର, ରଣପୁର,ବନ୍ଧାଳ ଓ ଗୌରୀପୁର ଆଦି ଅଞ୍ଚଳ ପାଣି ଘେରରେ ରହିଛି । ଯାହାକୁ ନେଇ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଏପଟେ ପୁଣି ବନ୍ୟା ପାଣି ବଢିବାର ଆଶଙ୍କା ଥିବାରୁ ସମସ୍ତ ନଦୀକୂଳିଆ ଲୋକ ତୁରନ୍ତ ଘର ଛାଡ଼ି ଆଶ୍ରୟସ୍ଥଳୀକୁ ଯିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ତେବେ ତୁରନ୍ତ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ଖାଦ୍ୟପେୟ ପହଞ୍ଚିବା ସହିତ ପ୍ରଭାବିତ ଲୋକଙ୍କୁ ସ୍ଥାନାତରିତ କରିବାକୁ ବ୍ଲକର ଅଧିକାରୀ ଓ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ବନ୍ଧାଳ ପଞ୍ଚାୟତର ସମିତି ସଭ୍ୟ ତୁରନ୍ତ କ୍ଷତିଗ୍ରସ୍ତ ବନ୍ୟା ପ୍ରଭାବିତଙ୍କୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ