ଯାଜପୁର: ଜିଲ୍ଲାର ବ୍ୟାସନଗର 8ନଂ ୱାର୍ଡରେ ପ୍ରସବ ପୀଡିତାଙ୍କୁ ଡାକ୍ତରଖାନା ନେବା ଲାଗି ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ । ତେବେ ସରକାରୀ ଆମ୍ବୁଲାନ୍ସ ବ୍ୟବସ୍ଥାର ଅନିୟମିତତା ସଂପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରସବ ମହିଳାଙ୍କ ସଂପର୍କୀୟ ଅଭିଯୋଗ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ପ୍ରସବ ଯନ୍ତ୍ରଣା ପାଇବା ପରେ ମହିଳାଙ୍କ ସଂପର୍କୀୟ ସନ୍ଧ୍ୟା ସମୟରେ 108 ଆମ୍ବୁଲାନ୍ସ ଫୋନ ଦ୍ବାରା ଯୋଗାଯୋଗ କରିଥିଲେ । କିନ୍ତୁ ବହୁତ ସମୟ ବିତିଯାଇଥିଲେ ମଧ୍ୟ ସଠିକ୍ ସମୟରେ ସରକାରଙ୍କ ଜନନୀ ଏକ୍ସପ୍ରେସ ପହଞ୍ଚି ନଥିଲା । ଫଳରେ ମହିଳାଙ୍କର 6ଟା 56 ମିନିଟ ସମୟରେ ତାଙ୍କ ଘରେ ହିଁ ପ୍ରସବ ହୋଇଯାଇଥିବା ଜଣାପଡିଛି ।
ତେବେ ପ୍ରସବ ପରବର୍ତ୍ତୀ ଆବଶ୍ୟକୀୟ ଚିକିତ୍ସା ଦରକାର ଥିବା ବେଳେ ସରକାରୀ 108 ଆମ୍ବୁଲାନ୍ସ ରାତି 9ଟା ରେ ଆସି ପହଞ୍ଚିଥିଲା । ସେତେବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ବେଳେ ଆଶୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଚାଳକଙ୍କ ବ୍ୟତୀତ ଅନ୍ୟ କୌଣସି ସହଯୋଗୀ କର୍ମଚାରୀ ଉପସ୍ଥିତ ନଥିଲେ । ସେହି ପରିସ୍ଥିତିରେ ମହିଳାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ଉଭୟ ମା' ଓ ଶିଶୁ ସୁସ୍ଥ ଅଛନ୍ତି ।
ଏହି ଅସୁବିଧାର ସମ୍ମୁଖୀନ ହୋଇଥିବା ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ବିଜେଡି ଦଳର ନାରୀନେତ୍ରୀ ରଶ୍ମିତା ପଣ୍ଡାଙ୍କ ସାନ ଯାଆ ବବିତା ପୂଜାରୀ । ସରକାରୀ ଆମ୍ବୁଲାନ୍ସ ବ୍ୟବସ୍ଥାରେ ଅନିୟମିତତା, ଆମ୍ବୁଲାନ୍ସରେ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଏବଂ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଆମ୍ବୁଲାନ୍ସ ଥାଇ ମଧ୍ୟ ତାର ବ୍ୟବହାର ହେଉନଥିବା ବିଷୟରେ ବିଜେଡି ନେତ୍ରୀ ରଶ୍ମିତା ମେଡିକାଲ ଅଫିସରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି ଅବ୍ୟବସ୍ଥା ନ ଘଟିବା ଲାଗି ଅଫିସରଙ୍କୁ କହିଥିବା ସୂଚନା ମିଳିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ