ଯାଜପୁର: ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରେମିକ। ଘରେ ସମସ୍ତେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଛି ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଣସରପୁର ଗ୍ରାମରେ।
ସୂଚନା ମୁତାବକ, ଏହି ଗାଁର ଜଣେ ଯୁବତୀ ଭୁବନେଶ୍ବରରେ ରହି ଚାକିରି କରୁଥିଲେ। ସେଠାରେ କଟକ ଜିଲ୍ଲା ଅଡଶପୁର ଅଞ୍ଚଳର ପପୁ ସୁନ୍ଦରାୟ ନାମକ ଜଣେ ଯୁବକ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ତେବେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କୁ ନାନା ହଇରାଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ ପ୍ରେମିକ ପ୍ରବର।
ଏନେଇ ଯୁବତୀ ଜଣକ ପୂର୍ବରୁ ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିଲେ। ପରେ ଯୁବତୀ ଭୁବନେଶ୍ବରରେ ଚାକିରି ଛାଡ଼ି ଘରେ ଆସି ରହୁଥିଲେ। ପରେ ଉକ୍ତ ଯୁବକ ଯୁବତୀଙ୍କ ଘରକୁ ଆସି ଯୁବତୀ ଓ ତାଙ୍କ ମାଙ୍କୁ ମଧ୍ୟ ବିଭିନ୍ନ ଧମକ ଦେଉଥିଲେ।
ଯୁବତୀଙ୍କ ଅନ୍ୟତ୍ର ବାହାଘର ଠିକ ହୋଇଥିବା ଖବର ପାଇ ଗତ ଦୁଇଦିନ ତଳେ ଉକ୍ତ ଯୁବକ ଯୁବତୀଙ୍କ ମାଙ୍କୁ ଧମକ ଦେଇଥିବା ସେ କହିଛନ୍ତି। ତେବେ ରବିବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ଯୁବକ ଜଣକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ