ଯାଜପୁର: ଯାଜପୁର ରୋଡ ଥାନା ବ୍ୟାସନଗର ସ୍ଥିତ ଯୋଗୀ ସାହିରେ ବିଳମ୍ବିତ ରାତିରେ ଡକାୟତି । ସୁନା ମୁଦି, ହାର, କାନଫୁଲ ଓ ୫ଟି ମୋବାଇଲ ଲୁଟ ।
ସୂଚନା ମୁତାବକ, ବ୍ୟାସନଗରର ଯୋଗୀ ସାହିର ବିଦ୍ୟାଧର ରାଉତଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୫ ଜଣ ଡ଼କାୟତ ଘରର ଗ୍ରୀଲ ବାଡ଼େଇଥିଲେ। ବିଦ୍ୟାଧରଙ୍କ ପୁଅ ଦୁର୍ଗାପ୍ରସାଦ ଘର ଗ୍ରୀଲ ଖୋଲିବାରୁ ଅଚାନକ ତାଙ୍କ ମୁଣ୍ଡକୁ ଏକ ଶକ୍ତ ଆଘାତ ଦେଇଥିଲା ଡ଼କାୟତ । ଆଉ ବନ୍ଧୁକ ଦେଖାଇ ଘରର ସମସ୍ତ ସଦସ୍ୟଙ୍କ ନିକଟରୁ ୫ଟି ମୋବାଇଲ ନେଇ ଆରମ୍ଭ କରିଥିଲେ ଲୁଟ ।
ଡ଼କାୟତମାନେ ବିଦ୍ୟାଧରଙ୍କ ଘରେ ଥିବା ଦୁଇଟି ସୁନା ହାର, ମୁଦି ୪ଟି, କାନଫୁଲ ୨ଟା ଓ ୫ଟା ମୋବାଇଲ ଲୁଟି ନେଇଥିଲେ । ଆଉ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଯଦି ସେ ପୋଲିସକୁ ଖବର ଦେବେ ତାହାହେଲେ ସମସ୍ତଙ୍କୁ ମାରିଦେବୁ । ଏଥିସହିତ ବିଦ୍ୟାଧର ଆଉ ତାଙ୍କ ପୁଅ ଦୁର୍ଗାପ୍ରସାଦ ଗୁରୁତର ହେବାରୁ ଚିକିତ୍ସା ପାଇଁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଏନେଇ ବିଦ୍ୟାଧର ଯାଜପୁର ରୋଡ ଥାନାରେ ଏତେଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୋଲିସ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ