ଯାଜପୁର: ଜିଲ୍ଲାର ରସୁଲପୁର ବ୍ଲକ ନଠୁଆବର ପ୍ରାଥମିକ କୃଷି ସମବାୟ ସମିତିରେ ମହାଘୋଟାଲା ଅଭିଯୋଗ । ସମବାୟ ସମିତିର ଅନିୟମିତତା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ । ଗୁରୁବାର ଚାଷୀମାନେ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ।
ଅଭିଯୋଗ ମୁତାବକ, ଏହି କୃଷି ସମବାୟ ସମିତି ଚାଷୀମାନଙ୍କ ସୁବିଧା ସୁଯୋଗ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଏହା ଚାଷୀଙ୍କ କାମରେ ଆସୁନି । ଏଠାରୁ ଚାଷୀମାନେ କୌଣସୁ ସୁବିଧା ପାଉନାହାନ୍ତି । ଏହି କୃଷି ସମବାୟ ସମିତି ଉପରେ ତିନୋଟି ପଞ୍ଚାୟତର ଚାଷୀ ନିର୍ଭର କରୁଥିବା ବେଳେ ସଠିକ ସମୟରେ ସେମାନଙ୍କୁ ସାର ବିହନ ଯୋଗାଇ ଦିଆଯାଉ ନାହିଁ । ପ୍ରକୃତ ଚାଷୀଙ୍କୁ ଉପେକ୍ଷା କରାଯାଇ ନକଲି ଚାଷୀଙ୍କୁ ଋଣ ଦିଆଯାଉଛି । ଏଥିସହିତ ବିଭିନ୍ନ ସମୟରେ ଚଞ୍ଚକତା କରି ଚାଷୀମାନଙ୍କ ନାମରେ ଋଣ ଉଠାଯାଇ ଆତ୍ମସାତ କରାଯାଉଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମବାୟ ସମିତିର ମୁଖ୍ୟ ନିର୍ବାହୀ ଅଧିକାରୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ