ଯାଜପୁର: ବ୍ୟାସନଗର ପୌରପରିଷଦରେ ପୌର ଅଧିକାରୀଙ୍କୁ ଅଧ୍ୟକ୍ଷାଙ୍କ ଫାଇଲ ଫୋପାଡିବା ଓ ଅଶାଳୀନ ବ୍ୟବହାରର ଭିଡିଓ ଭାଇରାଲ । କିଛିଦିନ ତଳେ ବାୟୋ ମ୍ୟାଟ୍ରିକ ମେସିନ ସଂଯୋଗ ଓ ଜିଓ ଟାୱାର ସ୍ଥାପନକୁ ନେଇ ଏଭଳି ଘଟଣା ଘଟିଥିବା କହିଛନ୍ତି ପୌର ଅଧିକାରୀ ।
ସୂଚନା ଅନୁସାରେ ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବା ନିମନ୍ତେ ୱାର୍ଡବାସୀ ପୌର ଅଧିକାରୀଙ୍କୁ ଅନୁମତି ମାଗିଥିଲେ । ପୌରପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କାରାଯିବା ପରେ ପୌର ନିର୍ବାହୀ ଅଧିକାରୀ(EO) ଆଶୋକ କୁମାର ରାଉତ ଅନୁମତି ଦେବା ସହିତ ୮ ନମ୍ବର ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି । ପରେ ଉକ୍ତ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାୱାର ନିର୍ମାଣକୁ ବିରୋଧ କରି ଅଧ୍ୟକ୍ଷାଙ୍କ ଦ୍ବାରସ୍ଥ ହୋଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ନିର୍ବାହୀ ଅଧିକାରୀଙ୍କୁ ଉପରକୁ ଫାଇଲ ଫିଙ୍ଗିଲେ ପୌରାଧ୍ୟକ୍ଷା, ଭିଡିଓ ଭାଇରାଲ
ଏହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଇଓ ଆଶୋକ କୁମାର ରାଉତଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହିତ ଉତ୍କ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିବା ସହିତ ତାଙ୍କ ଉପରକୁ ଫାଇଲ ଫୋପାଡି ଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଏହା ମଧ୍ୟରେ ନିର୍ବାହୀ ଅଧିକାରୀଙ୍କ ଗତକାଲି ଖଣ୍ଡପଡା ବଦଳି ହୋଇଥିବା ସୂଚନା ମିଳିଛି । ଏନେଇ ସେ କହିଛନ୍ତି, "ସେଠାରେ ପୌରାଧ୍ୟକ୍ଷାଙ୍କ ଏଭଳି ବ୍ୟବହାର ସମୟରେ କାଉନ୍ସିଲରଙ୍କ ସମେତ ଅନ୍ୟ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏଭଳି ବ୍ୟବହାର ସତ୍ତ୍ବେ ମୁଁ ଜଣେ ଶୃଙ୍ଖଳିତ ସରକାରୀ କର୍ମଚାରୀ ଭାବରେ କୌଣସି ପ୍ରତିରୋଧ କରିନାହିଁ । କିନ୍ତୁ ସେ ଅନେକ ସମୟରେ ମୋ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଏପରିକି ଅନ୍ୟମାନଙ୍କ ସାମ୍ନାରେ ମୋତେ ଅନେକ ଥର ଅପମାନିତ ମଧ୍ୟ କରିଛନ୍ତି ।" ସେପଟେ ଏହି ଭାଇରାଲ ଭିଡିଓକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଇଓ ଆଶୋକ କୁମାର ରାଉତଙ୍କୁ ଦୁର୍ବ୍ୟବହାର ଘଟଣାକୁ ଖଣ୍ଡନ କରିଛନ୍ତି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ।
ଇଟିଭି ଭାରତ, ଯାଜପୁର