ଜଗତସିଂହପୁର: ଶିକ୍ଷକଙ୍କ ଟଙ୍କା ହଡ଼ପ ମାମଲାରେ କୁଜଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ମନୋଜ କୁମାର ତ୍ରିପାଠୀଙ୍କୁ କୁଜଙ୍ଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୁଜଙ୍ଗ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ଭବିଷ୍ୟନିଧି ପାଣ୍ଠି ହଡପ ଅଭିଯୋଗରେ ପୋଲିସ ଆକାଉଣ୍ଟାଣ୍ଟ ମନୋଜ ତ୍ରିପାଠୀଙ୍କୁ ଗତ ସୋମବାର ସନ୍ଧ୍ୟାରେ ଗିରଫ କରି ଆଜି (ମଙ୍ଗଳବାର) କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତର ଜାମିନ ଆବେଦନକୁ ସ୍ଥାନୀୟ ଜେଏମଏଫସି କୋର୍ଟ ଅଗ୍ରାହ୍ୟ କରିବା ପରେ ତାଙ୍କୁ କୁଜଙ୍ଗ ସବ୍ଜେଲକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, କୁଜଙ୍ଗ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ପ୍ରାୟ 17 ଲକ୍ଷ 69 ହଜାର 368ଟଙ୍କାର ଭବିଷ୍ୟତ ନିଧି ପାଣ୍ଠିକୁ ଆତ୍ମସାତ କରିଥିବା ନେଇ ଆକାଉଣ୍ଟାଣ୍ଟ ମନୋଜ କୁମାର ତ୍ରିପାଠୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କୁଜଙ୍ଗ ବ୍ଲକର କେତେକ ଗ୍ରାଣ୍ଟ ଶିକ୍ଷକ ନିଜ ଇପିଏଫ ଆକାଉଣ୍ଟରେ ଟଙ୍କା ନଥିବା ଜାଣି କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର କୁମାର କରଙ୍କ ନିକଟରେ ଅଭିଯୋଗ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଏସମ୍ପର୍କରେ ଖୋଳତାଡ଼ କରିବା ପରେ ଅର୍ଥ ହେରଫେରର ରହସ୍ୟ ପଦାକୁ ଆସିଥିଲା । ଆକାଉଣ୍ଟାଣ୍ଟ ମନୋଜ ତ୍ରିପାଠୀ ନିଜର ଏକ ବ୍ୟବସାୟ ପ୍ରତିଷ୍ଠାନ ଆକାଉଣ୍ଟରେ କୌଶଳ କ୍ରମେ ସରକାରୀ ଅର୍ଥ ଜମା କରୁଥିବା ଜଣାପଡିଥିଲା । ଏହି ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରୀ ପବିତ୍ର କୁମାର କର କୁଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ହେବା ଜାଣି ଅଭିଯୁକ୍ତ ଆକାଉଣ୍ଟ ମନୋଜ କୁମାର ତ୍ରିପାଠୀ ଆଉ କାର୍ଯ୍ୟାଳୟକୁ ଆସି ନଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା, କୋର୍ଟରେ ଆତ୍ମସମର୍ପଣ କଲେ ଆକାଉଣ୍ଟାଣ୍ଟ ସୁଚିସ୍ମିତା
କୁଜଙ୍ଗ ଥାନା ପକ୍ଷରୁ ମନୋଜଙ୍କୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ସେ ଥାନାରେ ହଜାର ନହେବାରୁ କୁଜଙ୍ଗ ପୋଲିସର ଏକ ଟିମ ତାଙ୍କୁ ରାହମା ସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନରୁ ଗତ ସୋମବାର ସନ୍ଧ୍ୟାରେ ଗିରଫ କରିଥିଲା । ତେବେ ମଙ୍ଗଳବାର ତାଙ୍କୁ କୁଜଙ୍ଗ କୋର୍ଟରେ ହଜାର କରାଯାଇଥିଲା । କୁଜଙ୍ଗ କୋର୍ଟ ଏହି ଘଟଣାରେ ଅଭିଯୁକ୍ତ ମନୋଜ କୁମାର ତ୍ରିପାଠୀଙ୍କ ଜାମିନ ଆବେଦନ ଖାରଜ କରିବା ସହିତ ତାଙ୍କୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି । ତେବେ ଭବିଷ୍ୟନିଧି ପାଣ୍ଠିରେ ଜମା ଅର୍ଥ ଫେରି ପାଇବା ନେଇ ଶିକ୍ଷକଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଏଥିସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ଘଟଣା ପଛରେ କେବଳ ଆକାଉଣ୍ଟାଣ୍ଟ କି ଅନ୍ୟ କର୍ମଚାରୀଙ୍କର ସମ୍ପୃକ୍ତି ଅଛି ତାହା ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛି ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଂଘ ।
ଇଟିଭି ଭାରତ, ଜଗତସିଂହପୁର