ଯାଜପୁର: ଜିଲ୍ଲା ଗସ୍ତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ପର୍ଯ୍ୟଟନ ମନ୍ତ୍ରୀ ଜିଲ୍ଲାକୁ ପହଞ୍ଚି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ସେଗୁଡିକୁ ବୁଲି ଦେଖିଛନ୍ତି । ଯାଜପୁର କଳା ଓ ସଂସ୍କୃତିର ସହର ହୋଇଥିବାରୁ ଏଠାର ଏକ ନାଟ୍ୟ ମଣ୍ଡପ କରାଯିବା ଯାଇଁ ଜିଲ୍ଲା ପ୍ରଶାସନକୁ ଜମି ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଯାଜପୁର ସହରରେ ନିର୍ମାଣ ଚାଲିଥିବା ବିରଜା ପାନ୍ଥଶାଳା, ବାରୁଣୀ ମହାଶ୍ମଶାନ, ବୈତରଣୀ ଘାଟ, ଦଶାଶ୍ବମେଧ ଘାଟ, ବରାହ ମନ୍ଦିର, ପର୍ଯ୍ୟଟନ ସଂଗ୍ରହାଳୟ ସହ ଅନ୍ୟାନ୍ୟ ନିର୍ମାଣଧୀନ ପ୍ରକଳ୍ପ ବୁଲି ଦେଖିଥିଲେ । ଜିଲ୍ଲାରେ ଚାଲିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକର କାର୍ଯ୍ୟ ଖୁବଶୀଘ୍ର ଶେଷ କରି ଲୋକଙ୍କ ସେବାରେ ଲଗାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବ୍ୟାସନଗର ସ୍ଥିତ ବ୍ୟାସ ସରୋବରର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ