ଯାଜପୁର: ନିଜେ ଜଣେ ଦିବ୍ୟାଙ୍ଗ ହେଲେ ବି ଦୃଢ ମନୋବଳ ଓ ଅଦମ୍ୟ ସାହାସ ଯୋଗୁଁ ସମାଜକୁ ସଚେତନ କରିବା ଲକ୍ଷ୍ୟରେ ବାହାରିଛନ୍ତି ଏହି ବ୍ୟକ୍ତି । ଦିବ୍ୟାଙ୍ଗ ହେଲେ ବି ହାରି ନାହାଁନ୍ତି ମନୋବଳ । ସମାଜକୁ ସଜାଡିବା ପାଇଁ ବାହାରି ପଡିଛନ୍ତି । ସେ ହେଉଛନ୍ତି ବିହାର ପାଟନା ଜିଲ୍ଲା ଏକତାନଗର ଅଞ୍ଚଳର ଅଧିବାସୀ ଅରବିନ୍ଦ କୁମାର ମିଶ୍ର । ହାତରେ ପେଡାଲ ମାରି ତିିନି ଚକିଆ ସାଇକେଲରେ ବୁଲି ବୁଲି 'ବେଟି ବଚାଓ- ବେଟି ପଢାଓ' ପରି ଅନେକ ସମାଜକୁ ସଚେତନଧର୍ମୀ ବାର୍ତ୍ତା ବାଣ୍ଟୁଛନ୍ତି ।
ସାରା ଦେଶରେ ବିଭିନ୍ନ ପ୍ରାନ୍ତରେ ବୁଲି ବୁଲି କନ୍ୟା ଭୃଣ ହତ୍ୟା ନକରିବା, ରକ୍ତଦାନ ମହତ ଦାନ, ଗାଡି ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବ ପାଇଁ ମୋବାଇଲ ବ୍ୟବହାର ନକରିବା ଓ ହେଲମେଟ ପିନ୍ଧି ଗାଡି ଚଲାଇବା ପାଇଁ ଜନସାଧାରଣ, ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଛନ୍ତି ।
ଏବେ ଓଡିଶାର ପହଞ୍ଚିଛନ୍ତି ଅରବିନ୍ଦ । ରାଜ୍ୟର ବିଭିନ୍ନ ଜିଲ୍ଲା ଭ୍ରମଣ ପରେ ଏବେ ଯାଜପୁର ଜିଲ୍ଲାରେ ଅରବିନ୍ଦ । ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସହଯୋଗରେ ସେ ପ୍ରତ୍ୟେକ ଗ୍ରାମକୁ ଯାଇ ଏହି ବାର୍ତା ଦେବେ ବୋଲି କହିଛନ୍ତି ।
ଜନ୍ମରୁ ପୋଲିଓରେ ୨ ଗୋଡ଼ ହରାଇଛନ୍ତି ଅରବିନ୍ଦ, ତଥାପି ହରାଇ ନାହାଁନ୍ତି ମନୋବଳ । ସମାଜକୁ ସଚେତନ କରିବା ପାଇଁ ଉଦ୍ଦିଷ୍ଟ ସ୍ଲୋଗାନ ଦେଇ ସମଗ୍ର ଭାରତ ଭ୍ରମଣରେ ବାହାରିଛନ୍ତି ସେ ।
2018 ମସିହା ଫେବୃଆରୀ 19 ତାରିଖରୁ ସେ ଜଗନ୍ନାଥ ଧାମ ପୁରୀରୁ ନିଜର ତିନିଚକିଆ ସାଇକେଲରେ ଏହି ବାର୍ତ୍ତା ନେଇ ସେ ଭାରତ ଭ୍ରମଣ କରୁଛନ୍ତି । ବିଭିନ୍ନ ସ୍ଥାନରେ ବଦାନ୍ୟ ବ୍ୟକ୍ତି ତଥା ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅର୍ଥିକ ସାହାଯ୍ୟ ଦେବା ସହ ରହିବା ଓ ଖାଇବାର ବନ୍ଦୋବସ୍ତ ମଧ୍ୟ କରାଯାଉଛି ।
କାଶ୍ମୀର ଭ୍ରମଣ ପରେ ଏହି ଯାତ୍ରା ସମାପ୍ତ ଲକ୍ଷ୍ୟ ରଖିଛନ୍ତି ଅରବିନ୍ଦ । ସେ ୨୦୨୫ ସୁଦ୍ଧା ତାଙ୍କର ଏହି ଅଭିଯାନ ଶେଷ କରିବେ ବୋଲି କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ