ଯାଜପୁର: ଭୋକର ଭୂଗୋଳ ଯାଜପୁର ଜିଲ୍ଲା ନଗଡ଼ାରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ । ଏହାପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ କୋଭିଡ ସଚେତନତା କରାଯାଇଥିଲା । ନଗଡ଼ାରେ ସ୍ବାସ୍ଥ୍ୟ ବିଭାଗର କୋଭିଡ ସଚେତନତା ଏବଂ ମାସ୍କ, ଟୀକାକରଣ ଖବର ପ୍ରାସରଣ ହୋଇଥିଲା ।
ଏହାପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ଉପରନଗଡା, ମଝିନଗଡା, ତଳନଗଡା ଆଦି ଅଞ୍ଚଳକୁ ଯାଇ କୋଭିଡ ସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା । ସୋମାବାର ତଳନଗଡ଼ାରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଦୁଇଶହ ପଚାଶ ଟୀକା ଦିଆଯିବାର ଲକ୍ଷ ରଖି ଟୀକାକରଣ ଆରମ୍ଭ କରାଯାଇଛି ।
ସୋମବାର ସନ୍ଧ୍ୟା ସୁଦ୍ଧା 176 ଜଣ ଜୁଆଙ୍ଗ ନଗଡ଼ାବାସୀଙ୍କୁ କୋଭିଡ ଟୀକା ଦିଆଯାଇଛି । ଏହାକୁ ନେଇ ଜିଲ୍ଲା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଅନ୍ଧବିଶ୍ବାସ ଭିତରେ ଥିବା ନଗଡାବାସୀ ଏବେ ଟୀକାକରଣକୁ ନେଇ ଖୁସି ଜାହିର କରିଛନ୍ତି । ନଗଡ଼ାବାସୀଙ୍କୁ ଟୀକାକରଣ ପୂର୍ବରୁ ଅନେକଥର ସଚେତନ କରାଯାଇଛି ଯାହାଫଳରେ ଆଜି ସେମାନେ ସ୍ଵତନ୍ତ୍ର ଭାବେ ଟୀକା ନେଇଛନ୍ତି ।
ତେବେ ପୁନଃ କେବେ ଟୀକାକରଣ ହେବ ତାହାକୁ ନେଇ କୌଣସି ତଥ୍ୟ ମିଳି ପାରିନାହିଁ । ଏହି ଅଞ୍ଚଳରେ 250 ଜଣଙ୍କୁ ଟୀକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବାକି ଟୀକା କେବେ ପ୍ରଦାନ କରାଯିବା ତାହାକୁ ଅପେକ୍ଷା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ