ଯାଜପୁର: ଜିଲ୍ଲାର ସିଠାଳ ଗାଁରେ ଜମିବାଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳ ପରେ ନ୍ୟାୟ ପାଇଁ ପାଣିକୋଇଲିସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ଗ୍ରାମବାସୀ ।
ଅଭିଯୋଗ ମୁତାବକ ଗତ ୬୫ ବର୍ଷ ହେବ ବରୁଆଁ ଥାନା ସିଠାଳ ଗାଁର ୯ଟି ପରିବାର ଲୋକେ ଭୂଦାନ ଯଜ୍ଞା ସମିତି ପକ୍ଷରୁ ଦାନରେ ପାଇଥିବା ୬୩ ଗୁଣ୍ଠ ଜମିକୁ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଏହି ଜମି ଆମର କହି ବୁଧବାର ସେହି ଗାଁର ଅକ୍ଷୟ କୁମାର ନାୟକ, ଅଭୟ କୁମାର ନାୟକ ଓ ଦିନବନ୍ଧୁ ସାହୁ ଜୋର ଜବରଦସ୍ତ ଏହି ଚାଷ କରୁଥିବା ପରିବାର ଲୋକଙ୍କୁ ହଟେଇଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ମାରପିଟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ତେବେ ନ୍ୟାୟ ପାଇବା ପାଇଁ ଜମିକୁ ଚାଷ କରୁଥିବା, କୁଳମଣି ସାମଲ, ମାନସି ମଳିକ, ଟିକିଲ ମଳିକ, ମମତା ମଳିକ, କ୍ଷୀର ମଳିକ, ଟୁନି ମଳିକ ବରୁଆଁ ଥାନାରେ ଅକ୍ଷୟ, ଅଭୟ ଓ ଦୀନବନ୍ଧୁଙ୍କ ନାଁରେ ଅଭିଯୋଗ କରିଥିଲେ । ମାତ୍ର ବରୁଆଁ ଥାନାରୁ କୌଣସି ନ୍ୟାୟ ନ ପାଇବାରୁ ନ୍ୟାୟ ପାଇବା ଆଶାରେ ଜମିକୁ ଚାଷ କରୁଥିବା ସମସ୍ତ ପରିବାର ଲୋକେ ଆଜି(ଗୁରୁବାର) ପାଣିକୋଇଲିସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି । ଏଥିସହିତ ଏସପି ରାହୁଲ ପିଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିବା ଜଣାପଡ଼ିଛି । ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ