ଯାଜପୁର: ସ୍ତ୍ରୀକୁ ଛୁରୀରେ ଭୁସି ନିଜେ ଭୁସି ହେଲା ସ୍ବାମୀ । ଏ ଭଳି ଚାଞ୍ଚଲ୍ୟକର ତଥା ଲୋମହର୍ଷଣକାରୀ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳରେ । ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଢେଇଟିକର ଗାଁରେ ଅଭାବନୀୟ କାଣ୍ଡ । ସ୍ବାମୀ ଲକ୍ଷ୍ମୀଧର ମାଝୀ ପାରିବାରିକ କଳହକୁ ନେଇ ସ୍ତ୍ରୀ ନୟନୀ ମାଝୀକୁ ପେଟରେ ଛୁରି ଭୁସି ନିଜେ ନିଜ ପେଟରେ ଛୁରୀ ଭୁସିଲା ସ୍ବାମୀ । ଉଭୟେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହା ପରେ ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ ଉଭୟଙ୍କ ମଧ୍ୟରେ ପୂର୍ବରୁ ବାରମ୍ବାର କଳହ ଲାଗୁଥିଲା । ତେବେ ଏହା ଗୁରୁବାର ଉଗ୍ରରୂପ ଧାରଣ କରିଥିଲା । ଘର ଭିତର ପଟୁ କବାଟ ଦେଇ ଲକ୍ଷ୍ମୀଧର ତାଙ୍କ ସ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ପରେ ନିଜେ ନିଜ ପେଟରେ ଛୁରୀ ଭୁସି ଦେଇଛନ୍ତି । ସେପଟେ ଲକ୍ଷ୍ମୀଧରଙ୍କ ମାନସିକ ଅବସ୍ଥା ଭଲ ନଥିବା ତାଙ୍କ ଝିଅ କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ