ଯାଜପୁର: ଯାଜପୁର କଳିଙ୍ଗ ନଗର ଶିଳ୍ପାଞ୍ଚଳରୁ ନିର୍ଗତ ପାଉଁଶ ଡଷ୍ଟ ବୋଝେଇ ଟ୍ରକ ବ୍ୟାସନଗର ସହର ମଧ୍ୟକୁ ଅବାଧ ପ୍ରବେଶ କରୁଛନ୍ତି। ଫଳରେ ସହର ଭିତରେ ପ୍ରଦୂଷଣ ହାର ବଢ଼ିବା ସହ ବିଭିନ୍ନ ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହେଉଛି । ଏହାକୁ ବିରୋଧ କରି ଆଜି(ମଙ୍ଗଳବାର) ବ୍ୟାସନଗର ବାର ଆସୋସିଏସନ ପକ୍ଷରୁ ବ୍ୟାସନଗର ମୁଖ୍ୟରାସ୍ତା ଅବରୋଧ କରାଯାଇଥିଲା ।
ସହର ଭିତରେ ନୋ ଏଣ୍ଟ୍ରି ଥିଲେ ସୁଦ୍ଧା ବିନା ଅନୁମତିରେ ଶହ ଶହ ଟ୍ରକ ଯାତାୟାତ କରୁଛି । ଡଷ୍ଟ ବୋଝେଇ ଟ୍ରକଗୁଡ଼ିକ ବିନା ସୁରକ୍ଷା ବ୍ୟବସ୍ଥାରେ ବିନା କଭରରେ ଯାତାୟାତ କରୁଛନ୍ତି। ଫଳରେ ପୁଳା ପୁଳା ଡଷ୍ଟ ରାସ୍ତା ସାରା ବୁଣି ହୋଇ ଯାଉଥିବାବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ପୋଲିସ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ବାଧ୍ୟ ହୋଇ ଆଜି(ମଙ୍ଗଳବାର) 3 ଘଣ୍ଟା କାଳ ରାସ୍ତାରୋକ କରାଯାଇଥିଲା।
ରାସ୍ତାରୋକ ଯୋଗୁଁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ପାଇ ଯାଜପୁର ରୋଡ଼ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ୫ ଦିନ ଭିତରେ ଏହି ସମସ୍ୟାର ସମାଧାନ କରିବାକୁ ପୋଲିସ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଥିଲା। ତେବେ ସହର ମଧ୍ୟଦେଇ ପାଉଁଶ ପରିବହନ ବନ୍ଦ ନହେଲେ ବ୍ୟାସନଗର ବାର ଆସୋସିଏସନ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଚେତାବନୀ ଦେଇଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ