ଯାଜପୁର: ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ଜିଲ୍ଲାର ସୁକିନ୍ଦା ନିର୍ବାଚନମଣ୍ଡଳୀର ଦେଖିବାକୁ ମିଳିଛି ନିର୍ବାଚନୀ ହିଂସାା । ବିଜେଡି କର୍ମୀ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ 33 ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ସରୋଜିନୀ ରାଜ ଓ ବିଜେଡିର ଯୁବନେତା ସଂଗ୍ରାମ ଦେଓଙ୍କ ଗାଡି ଉପରକୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜିଲ୍ଲାପରିଷଦ ଓ ଯୁବ ନେତାଙ୍କ ସମେତ କିଛି ବିଜେଡି କର୍ମୀ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ହରିପୁର ହାଟ ନିକଟରେ ତାଙ୍କ ସ୍କର୍ପିଓ ଗାଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ କରିଥିଲେ । ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ଗାଡିର କାଚ ଫାଟି ଯାଇଛି। ଏନେଇ ସରୋଜିନୀ ରାଜ୍ ସୁକିନ୍ଦା ଥାନାରେ ଏକ ଏତଲା ଦେଇଛନ୍ତି । ତାଙ୍କ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ସୁକିନ୍ଦା ପୋଲିସ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ