ଯାଜପୁର: ଛାଡିଯାଇଛି ବର୍ଷା ହେଲେ ଦେଇଯାଇଛି ଦୁର୍ଦ୍ଦଶା । ଅଧିକାଂଶ ନଦୀରେ ଏବେ ବନ୍ୟା ପରିସ୍ଥିତି । ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଜିଲ୍ଲା ଦେଇ ଯାଇଥିବା ଏହି ନଦୀ ଗୁଡିକରେ ବନ୍ୟାଜଳ କମିଛି । ମାତ୍ର ବରୀ ଓ ବଡଚଣାରେ ଏବେବି ବନ୍ୟାପାଣି ଘେରରେ ଗ୍ରାମବାସୀ । ବରୀ-ବରୁହାଁ ରାସ୍ତାରେ ବନ୍ୟାଜଳ ଚାଲୁଥିବା କାରଣରୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ଫଳରେ ରିଲିଫ୍ ସାମଗ୍ରୀ ବି ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଅନ୍ୟପକ୍ଷେ ସୃଷ୍ଟି ହୋଇଥିବା 30ରୁ ଊର୍ଦ୍ଧ୍ବ ଘାଇ ପରିସ୍ଥିତିକୁ ଜଟିଳ କରିଛି ।
ବନ୍ୟାଜଳ କାରଣରୁ କ୍ଷତିଗ୍ରସ୍ତ ତଳିଆ ଅଞ୍ଚଳ । ବନ୍ୟା କାରଣରୁ ଗଲାଣି 5 ଜୀବନ । ଯାଜପୁର ଏବଂ ଧର୍ମଶାଳା ବ୍ଲକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ବରୀରୁ ୩ ଜଣ ମୃତ୍ୟୁବରଣ କରିଛନ୍ତି । ପ୍ରାୟ 10ଟି ବ୍ଲକର 180 ପଞ୍ଚାୟତରେ ଥିବା 836 ଗାଁର 9 ଲକ୍ଷ 68 ହଜାରରୁ ଊର୍ଦ୍ଧ୍ବ ଲୋକେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାର ମୋଟ 64 ହଜାର ହେକ୍ଟର ଚାଷ ଜମିରେ ବନ୍ୟାପାଣି । 3 ଦିନ ହେଲାଣି ଅନ୍ଧାରରେ ରାତି କାଟୁଛନ୍ତି ଲୋକେ । ବୈତରଣୀ ଓ କାଶୀ ନଦୀରେ 100 କୋଟିର ବନ୍ଧ ମରାମତି କରାଯାଇଥିଲେ ସୁଦ୍ଧା 6 ବର୍ଷରେ 5 ଥର ଘାଇ ସୃଷ୍ଟି ହେଲାଣି । କଣ୍ଟପଡାରେ ଘାଇ ଏବଂ ନୂଆଶାସନ ଓ ଦତ୍ତପୁରରେ ଚଳିତ ଥର ଘାଇ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରାଯାଇଛି ।
ପ୍ରଭାବିତଙ୍କୁ ସହାୟତା ଯୋଗାଇଦେବା ଜିଲ୍ଲା ପ୍ରଶାସନ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଅନ୍ୟପକ୍ଷେ ସରକାର ବନ୍ୟା ମୁକାବିଲାରେ ଫେଲ୍ ମାରିଛନ୍ତି ବୋଲି ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ । ତେବେ ଘାଇ ମରାମତି ସହିତ ଉଦ୍ଧାର, ଥଇଥାନ ଓ ରିଲିଫ୍ ସହାୟତା ଯୋଗାଇଦେବାକୁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।
ଚଳିତ ବର୍ଷର ବନ୍ୟାସ୍ଥିତି ଉଦବେଗଜନକ ରହିଛି । ଯାଜପୁରର ସମସ୍ତ 10ଟି ବ୍ଲକ୍ ବନ୍ୟାରେ ପ୍ରଭାବିତ । ବନ୍ୟା ଛାଡିବା ପରେ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ତୁରନ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେଲେ ସ୍ଥିତିରେ ସୁଧାର ଆସିପାରନ୍ତା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ