ଯାଜପୁର: ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କଲା ମଜଦୁର ସଂଘ। କିଛି ଦିନ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ ସୁକିନ୍ଦା ବିଧାୟକ। ଏନେଇ ନିଜେ ବିଧାୟକ ଟ୍ବିଟ ଯୋଗେ ସୂଚନା ଦେଇଥିଲେ।
ମହାସପ୍ତମୀ ପୂଜା ଅବସରରେ ଫେରାକ୍ରମ ମଜଦୂର ଶ୍ରମିକ ସଙ୍ଘ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କରିଛି। ଫେରାକ୍ରମ ମଜଦୂର ସଙ୍ଘର କାର୍ଯ୍ୟକାରୀ ସଭାପତି କମଳଲୋଚନ ନାୟକଙ୍କ ନେତୃତ୍ବରେ ଫେରାକ୍ରମ କାରଖାନାର ଅନେକ ଶ୍ରମିକ ଓ କର୍ମଚାରୀ ଏହି ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଫେରାକ୍ରମସ୍ଥିତ ମା' ଦୁର୍ଗାଙ୍କ ମନ୍ଦିରରେ ଏହି ଦୀପଦାନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ବୃଦ୍ଧିଜୀବି ଯୋଗ ଦେଇଥିଲେ। ଫେରାକ୍ରମ କାରଖାନାର ସଭାପତି ଦାୟିତ୍ବରେ ଅଛନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ।
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ କୋରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ଦେହରେ କୋରୋନାର କୌଣସି ଲକ୍ଷଣ ନଥିଲେ ସୁଦ୍ଧା ସେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ। ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ଯାଞ୍ଚ କରାଇନେବାକୁ ସେ ପରାମର୍ଶ ଦେଇଥିଲେ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ