ଯାଜପୁର: ରାଜ୍ୟରେ ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଶିଶୁ ଅପହରଣ ମାମଲା । ରାଜ୍ୟରେ ପରି ଅପହରଣ ଓ ହତ୍ୟା ମାମଲାକୁ ନେଇ ତୁମ୍ବି ତୋଫାନ ଚାଲିଥିବାବେଳେ ପୁଣି ସାମନାକୁ ଆସିଲା ଆଉ ଏକ ଅପହରଣ ମାମଲା । ଯାଜପୁର ମୁକୁନ୍ଦପୁର ଗାଁରେ ଜଣେ 7 ବର୍ଷର ଶିଶୁର ଅପହରଣ ଉଦ୍ୟମ ହୋଇଛି । ତେବେ ସୌଭାଗ୍ୟ ବଶତଃ ଗ୍ରାମବାସୀ ଶିଶୁକୁ ଠାବ କରିଥିବାବେଳେ ଅପହରଣକାରୀ ଯୁବକକୁ କାବୁ କରି ନେଇଛନ୍ତି । ଅପହରଣକାରୀ ଯୁବକ ଜଣଙ୍କ ଚନ୍ଦ୍ରମଣି ନାୟକ ବୋଲି ଜଣାପଡିଛି । ତେବେ ଘଟଣାର ଛାନଭିନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ।
ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ମୁକୁନ୍ଦପୁର ଗାଁର ବଳରାମ ସେଠୀଙ୍କ 7 ବର୍ଷର ଝିଅ ଘର ବାହାରେ ଖେଳୁଥିଲା । କିଛି ସମୟ ପରେ ପରିବାର ଲୋକେ ତାକୁ ପାଇ ନଥିଲେ । ତେବେ ଦୀର୍ଘ ୩ ଘଣ୍ଟା ଖୋଜାଖୋଜି ପରେ ନାବାଳିକାକୁ ସେହି ଗ୍ରାମର ଯୁବକ ଚନ୍ଦ୍ରମଣି ଧରିକି ଆସୁଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକେ ଝିଅକୁ କୁଆଡେ ନେଇକି ଯାଇଥିଲ ପଚାରିବାରୁ ସେ କିଛି ବି ଉତ୍ତର ଦେଇନଥିଲା । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଅଟକ ରଖିଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କ ଶିଶୁକୁ ନେବାର ପ୍ରକୃତ କାରଣ ଜଣାପଡି ନାହିଁ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ