ଯାଜପୁର: କଳିଙ୍ଗନଗରରେ ପ୍ରତିଷ୍ଠା ହେବ ୩୬ ମଧ୍ୟମ ଓ କ୍ଷୁଦ୍ରଶିଳ୍ପ। ସ୍ଥାପନ ହେବ ବିଜୁ ପଟ୍ଟନାୟକ ଇସ୍ପାତ ଅନୁଷ୍ଠାନ। ଏନେଇ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ଷ୍ଟିଲ୍ ଇଣ୍ଡଷ୍ଟ୍ରିର ଆନୁସଙ୍ଗିକ କାରଖାନା କଳିଙ୍ଗ ନଗରରେ ପ୍ରତିଷ୍ଠା ହେବା ଦ୍ୱାରା କାମ ପାଇଁ ବାହାରକୁ ଯାଉଥିବା ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ରୋଜଗାର ମିଳିପାରିବ। ଏନେଇ କଳିଙ୍ଗନଗର ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଯଥାଶୀଘ୍ର କାରଖାନା ଗୁଡିକର ଶୁଭାରମ୍ଭ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଓ IDCOକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପ୍ରସ୍ତାବ ଦେଇଛନ୍ତି । ଏଥିରେ ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ସମେତ IDCO ର ମୁଖ୍ୟ ମହା ପ୍ରବନ୍ଧକ, ଯାଜପୁର ଜିଲ୍ଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ.ପି ଓ ଅନ୍ୟ ଉଚ୍ଚ ପଦାଧିକାରୀମାନେ ସାମିଲ ହୋଇଥିଲେ। ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଓଳିଆ ପଞ୍ଚାୟତର ୨୫ଏକର ଜମିରେ ସ୍କୁଲ, ମାର୍କେଟ, ମେଡିକାଲ ଓ ପାର୍କ ଓ ବିସ୍ଥାପିତ କଲୋନୀ ପ୍ରତିଷ୍ଠା କରାଯିବ।
ବ୍ରାହ୍ମଣୀ ନଦୀରେ ଆନିକଟ୍ ନିର୍ମାଣ କରି କାରଖାନାକୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଟ୍ରାଫିକ ନିୟନ୍ତ୍ରଣ ଏବଂ ଦୁର୍ଘଟଣାରୁ ବର୍ତ୍ତିବା ଲାଗି ପ୍ରଥମେ ପାର୍କିଙ୍ଗ ୟାର୍ଡ ନିର୍ମାଣ କରାଯିବ। ଏଥିସହିତ CSR ଅର୍ଥ କେବଳ କଳିଙ୍ଗ ନଗରର ପାରିପାର୍ଶ୍ୱିକ ବିକାଶ ଲାଗି ଖର୍ଚ୍ଚ କରାଯାଉ ବୋଲି ବିଧାୟକ ପ୍ରସ୍ତାବ ଦେଇଥିଲେ। ତେବେ କଳିଙ୍ଗନଗର ଏହି ୩୬ ଟି ନୂଆ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଆରମ୍ଭ ହେବା ପୂର୍ବରୁ ବିସ୍ଥାପିତ ମାନଙ୍କୁ ସଠିକ ଭାବେ ଥଇଥାନ କରିବା ପାଇଁ ବିଧାୟକ ଦାବି କରିଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ