ଯାଜପୁର: ଦନ୍ତାହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ଧୂଳିଗଡ ଜଙ୍ଗଲ ନିକଟ ମଠସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ 10 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ମୃତ ନାବାଳକ ଜଣଙ୍କ ଧୂଳିଗଡ ଜଙ୍ଗଲ ନିକଟ ଧଫଖି ଗ୍ରାମର ସତ୍ୟ ଜେନା ହୋଇଥିବା ବେଳେ ଗୁରୁତର ବୃଦ୍ଧ ଜଣଙ୍କ ଯୋଗେଶ୍ବର ଦାସ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଉତ୍ତେଜିତ ଲୋକେ ଦାନଗଦୀ ମେଡିକାଲ ସାମନାରେ କଳିଙ୍ଗନଗର-ଯାଜପୁର ରୋଡ ରାସ୍ତା ଅବରୋଧ କରିଛନ୍ତି ।
ତେବେ ଯୋଗେଶ୍ବରଙ୍କ ସ୍ତ୍ରୀ ମଧ୍ୟ ଏଥିରେ ଆହତ ହୋଇଥିବା ଜଣାପଡିଛି । ଆହତ ଦମ୍ପତ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏହାଛଡା ହାତୀଟି ଉକ୍ତ ଅଞ୍ଚଳରେ ଘର ଭାଙ୍ଗି ଥିବା ମଧ୍ୟ ସୂଚନା ମିଳିଛି। ଏପଟେ ଦନ୍ତାହାତୀକୁ ଧରିବା ପାଇଁ ବନବିଭାଗର ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ବେଳେ ଗ୍ରାମବାସୀ ଏବଂ ବନବିଭାଗ କର୍ମଚାରୀମାନେ ନିଆଁ ହୁଳା କରି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।
ଏଥିସହ ଗ୍ରାମବାସୀମାନେ ମଟରସାଇକେଲ ଲାଇଟ୍ ପକାଇ ହାତୀକୁ ଅନ୍ବେଷଣ କରିବାକୁ ଉଦ୍ୟମ କରୁଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଛି । ହାତୀଟି ଆକ୍ରମଣାତ୍ମକ ହୋଇଥିବାରୁ ତାକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବାରେ ଜନ ସାଧାରଣ ସହଯୋଗ କରିବାକୁ କଟକ ଡିଏଫଓ ସୂଦର୍ଶନ ପାତ୍ର ନିବେଦନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ