ଜଗତସିଂହପୁର: ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ 3 ଦଳର ଜୋରଦାର କସରତ । 3 ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନିଜ ନିଜ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରାର୍ଥୀ । ଇତିମଧ୍ୟରେ ତିର୍ତ୍ତୋଲର ବିଜେଡି ପ୍ରାର୍ଥୀଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ । ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ସମୟରେ ବିଜେଡି ପ୍ରାର୍ଥୀଙ୍କୁ ଟାର୍ଗେଟ କରାଯାଇଛି ।
ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ଅଭିଯୋଗ କରିଛନ୍ତି ଯେ, 2007 ମସିହାରେ ବିଜୟ ଶଙ୍କର ମାଟ୍ରିକ ପରୀକ୍ଷାରେ ଜାଲିଆତି କରିଥିଲେ । ତାଙ୍କ ବାପା ତଥା ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ତାଙ୍କର ମନ୍ତ୍ରୀ ପଦ ଯାଇଥିଲା । ଏହା ପରେ ବି ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ, କିନ୍ତୁ ମନ୍ତ୍ରୀ ହୋଇପାରିନଥିଲେ ।
ସେ ପ୍ରଶ୍ନ କରିଛନ୍ତି ଯେ, ଯିଏ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁନାହାନ୍ତି ସେ ତ୍ରିର୍ତ୍ତୋଲ ନିର୍ବାଚନ ମଣ୍ଡଳୀବାସୀଙ୍କ ସେବା କି ପ୍ରକାର କରିବେ । ସେପଟେ କଂଗ୍ରେସର ଏହି ବୟାନକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ