ଜଗତସିଂହପୁର: ହଳଦିଆ-ବରଉଣୀ ପାଇପ୍ ଲାଇନ ଫାଟିଥିବା ସ୍ଥାନରେ IOCL ପାଇପ୍ ଲାଇନ ପକ୍ଷରୁ ସ୍ବତନ୍ତ୍ର ଜଙ୍ଗଲ ସୃଷ୍ଟି ପାଇଁ ପ୍ରୟାସ । ସେଠାରେ ବୃକ୍ଷରୋପଣ ପରେ ଗ୍ରାମବାସୀଙ୍କୁ ଏହି ସ୍ଥାନ ହସ୍ତାନ୍ତର କରାଯାଇଛି । ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଗ୍ରାମ୍ୟ ଜଙ୍ଗଲକୁ ଗ୍ରାମର କମିଟିକୁ ହସ୍ତାନ୍ତର କରାଯାଇଛି ।
ଗତ ମେ ମାସ ୨୬ ତାରିଖରେ ପାରାଦ୍ଵୀପରୁ କୋଲକାତାର ହଳଦିଆ ବନ୍ଦରକୁ ସଂଯୋଗ ହୋଇଥିବା କୃଡ ଅଏଲ ପାଇପ୍ ଲାଇନ IOCL ଟାଉନସିପ ସମ୍ମୁଖରେ ଫାଟିଯାଇଥିଲା । ଫଳରେ ଲକ୍ଷାଧିକ ଲିଟର କୃଡ ଅଏଲ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ ସମେତ ପାଣି ନାଳରେ ବୋହି ଯାଇଥିଲା । IOCL ପାଇପ୍ ଲାଇନ ପକ୍ଷରୁ ଏହାକୁ ତୁରନ୍ତ କାମ କରାଯିବା ସହିତ ଉକ୍ତ କୃଡ ଅଏଲକୁ କାଢି ନିଆଯାଇଥିଲା ।
ଏପରିକି ପାଣି ନାଳରୁ ମାଟିକୁ କାଢି, ସେଠାରେ ବାଲି ପକାଇ ରିଷ୍ଟୋର୍ କରାଯାଇଥିଲା । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଉକ୍ତ ସ୍ଥାନରେ ଜାପାନ ଟେକ୍ନୋଲୋଜିରେ ବୃକ୍ଷ ରୋପଣ କରାଯାଇ ସ୍ବତନ୍ତ୍ର ଜଙ୍ଗଲ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି । ଏହି ଟେକ୍ନୋଲୋଜି ଅନୁଯାୟୀ ଗଛ ଗୁଡ଼ିକ ଖୁବଶୀଘ୍ର ବଢିବ ବୋଲି IOCL ପାଇପଲାଇନ୍ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ IOCL ପାଇପ୍ ଲାଇନ ସବୁପ୍ରକାର ସହଯୋଗ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ IOCL ପାଇପ୍ଲାଇନ କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଭି'ଙ୍କ ସହ ଅନ୍ୟ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଜଗତସିଂହପୁର