ଜଗତସିଂହପୁର: ତିର୍ତ୍ତୋଲ ପୋଲିସର ସଫଳତା । ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଏରଡଙ୍ଗ ଗ୍ରାମର ଶିକ୍ଷକ ରବି ନାରାୟଣ ମିଶ୍ର ଅପହରଣ ଘଟଣାରେ ତିର୍ତ୍ତୋଲ ପୋଲିସ 5 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ 20 ହଜାର ଟଙ୍କା, ଦୁଇଟି ମାଉଜର ଓ ଏକ ଗାଡି ଜବତ ହୋଇଛି । ଏହି ଅପହରଣ ଘଟଣାରେ ସାତ ଜଣଙ୍କ ସମ୍ପୃକ୍ତ ଥିବା ଅପହରଣକାରୀମାନେ ସ୍ବୀକାର କରିଛନ୍ତି । ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି ।
ସୂଚନାଯୋଗ୍ୟ, ଶିକ୍ଷକ ରବି ନାରାୟଣଙ୍କୁ ଗତ ଦୁଇ ତାରିଖରେ ରାତି 10 ଟା ସମୟରେ 7 ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ । ପରେ ପରିବାର ଲୋକଙ୍କୁ ଫୋନ କରି 5 ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନ ମିଳିଲେ ରବି ନାରାୟଣଙ୍କୁ ଜୀବନରୁ ମାରି ଦେବାକୁ ଦୁର୍ବୃତ୍ତ ଧମକ ଦେଇଥିଲେ । ଏଥିରେ ପରିବାର ଲୋକେ 4 ଲକ୍ଷ ଟଙ୍କା ଯୋଗାଡ କରି ଦେବାପରେ ଅପହରଣକାରୀମାନେ ତାଙ୍କୁ ଛାଡି ଦେଇଥିଲେ ।
ପରିବାର ଲୋକେ ଏ ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅପହରଣକାରୀଙ୍କୁ ଧରିବାରେ ସଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ