ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ବିବାହକୁ ନେଇ ବିବାଦ ପୁଣି ମୁଣ୍ଡ ଟେକିଛି । ଜଗତସିଂହପୁର ସହର ଦେଉଳି ଗ୍ରାମେଶ୍ୱର ଅଞ୍ଚଳର ସୋମାଲିକା ଦାଶ ଆଜି(ଶୁକ୍ରବାର) ସବ-ରେଜିଷ୍ଟ୍ରାର ଅଫିସରେ ଅପେକ୍ଷା କରିଥିବା ବେଳେ ତିର୍ତ୍ତୋଲ ବିଧାୟକଙ୍କର କିନ୍ତୁ ଦେଖା ମିଳିନଥିଲା । ଯାହାକୁ ନେଇ ସୋମାଲିକାଙ୍କ ପରିବାର ଲୋକେ ସେଠାରେ ହୋ-ହଲ୍ଲା କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ତଳେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ଥାନୀୟ ଦେଉଳି ଗ୍ରାମେଶ୍ୱରର ସୋମାଲିକା ଦାଶଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକୁ ସେଇ ଯୁବତୀ ଜଣଙ୍କ ନିଜ ସୋସିଆଲ ସାଇଟରେ ଅପଲୋଡ଼ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଧାୟକଙ୍କ ସହ ସମ୍ପର୍କକୁ ନେଇ ସୋମାଲିକା ନିଜେ ମଧ୍ୟ ଜଗତସିଂହପୁର ଏସପିଙ୍କୁ ଜଣାଇଥିଲେ । ସେ ସମୟରେ ମଧ୍ୟ ଦଳୀୟ ଚାପ ଓ ନିଜର ଭାବମୂର୍ତ୍ତିକୁ ଅକ୍ଷୂର୍ଣ୍ଣ ରଖିବାକୁ ଯାଇ ମେ ୧୭ ତାରିଖରେ ସୋମାଲିକାଙ୍କ ସହ ବିବାହ ପାଇଁ ଜିଲ୍ଲା ସବ-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ ।
ଆଜି ନୋଟିସ ପିରିୟଡ଼ ସରିବା ପରେ ସୋମାଲିକା ସବ-ରେଜିଷ୍ଟ୍ରାର ଅଫିସରେ ଅପେକ୍ଷା କରିଥିବା ବେଳେ ବିଧାୟକଙ୍କର କିନ୍ତୁ, ଦେଖାନଥିଲା । ଯାହାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ବିଧାୟକଙ୍କ ସହ ଯେତେ ଯୋଗାଯୋଗ କରିଥିଲେ ବି ସେ କୌଣସି ଉତ୍ତର ଦେଇନଥିଲେ । ଫଳରେ, ଅଫିସ ବନ୍ଦ ହେବା ପରେ ଯୁବତୀ ଓ ତାଙ୍କ ପରିବାର ଲୋକେ ଫେରିଆସିଥିଲେ । ଯାହାକୁ ନେଇ ବିଧାୟକଙ୍କ ନାମରେ ଜଗତସିଂହପୁର ଥାନାରେ ଅଭିଯୋଗ କରାଯିବ ବୋଲି ସୋମାଲିକାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର