ଜଗତସିଂହପୁର: ଏସଭିଏମ କଲେଜ ନକଲି ପ୍ରମାଣ ପତ୍ରକୁ ନେଇ ତାତିଲା ଜିଲ୍ଲା ଛାତ୍ର କଂଗ୍ରେସ । କଲେଜରେ ଜାଲ ରେଜିଷ୍ଟ୍ରେସନ ନମ୍ବର ଓ ଆଡ଼ମିଶନ ଜାଲିଆତିକୁ ନେଇ ଛାତ୍ର କଂଗ୍ରେସ ସିଧାସଳଖ ବିଧାୟକ ବିଷ୍ଣୁ ଦାସଙ୍କୁ ଟାର୍ଗେଟ କରିଛି ।
ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି କୁମାର ପ୍ରୀତମ ପରିଜା ଅଭିଯୋଗ କରିଛନ୍ତି ଯେ, 2015-16 ଶିକ୍ଷା ବର୍ଷ ଠାରୁ 2018-19 ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ତରଫରୁ, ଯୁକ୍ତ 3 କଳା ପାଇଁ 256,ଵିଜ୍ଞାନ ପାଇଁ 256 ଓ ବାଣିଜ୍ୟ ପାଇଁ 256ଟି ସିଟ୍ ମୋଟ 768 ଟି ସିଟ ପାଇଁ ଧାର୍ଯ୍ୟ କରାଯାଇଛି । କିନ୍ତୁ କଲେଜର ଅଧ୍ୟକ୍ଷ, କର୍ମଚାରୀ ଓ ପରିଚାଳନା କମିଟିର ମୁଖ୍ୟ ଵିଷ୍ଣୁ ଦାସ ମିଳିତ ଭାବରେ ମନମୁଖୀ ସିଟ୍ସଂଖ୍ୟା ବଢ଼ାଇ ଦେଇଛନ୍ତି ।
ବର୍ତ୍ତମାନ କଳାରେ 307, ବିଜ୍ଞାନରେ 307 ଓ ବାଣିଜ୍ୟରେ 308 ଆଡ଼ମିଶନ କରାଯାଇଥିଲା । ବର୍ଦ୍ଧିତ ପିଲାଙ୍କ ରେଜିଷ୍ଟ୍ରେସନ ନମ୍ବର ନଥିବାରୁ ସେମାନେ ମାଇଗ୍ରେସ ସାଟିଫିକେଟ ନ ପାଇ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଯଦି ଛାତ୍ରଛାତ୍ରୀଙ୍କୁ 7 ଦିନ ଭିତରେ ଯଦି ରେଜିଷ୍ଟ୍ରେସନ ନମ୍ବର ନ ଦିଆଯାଏ ତେବେ, ଛାତ୍ର କଂଗ୍ରେସ ତରଫରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯିବା ସହ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ପ୍ରୀତମ ପରିଜା ଚେତାବନୀ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ