ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନରେ 144 ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଝଙ୍କଡ଼ର ପ୍ରସିଦ୍ଧ ମା' ଶାରଳା ପୀଠ ଓ ଗୋରେଖନାଥ ମନ୍ଦିର ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ଆଜି(ମଙ୍ଗଳବାର) ଠାରୁ ଆସନ୍ତା 19 ପୂର୍ଣ୍ଣିମା ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । କେବଳ ମନ୍ଦିରରେ ନୀତିକାନ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ନଦୀ, ପୁଷ୍କରିଣୀ ବା କେନାଲରେ ସାମୂହିକ ଭାବରେ ଡଙ୍ଗା ଭସାଇବାକୁ ମଧ୍ୟ ବାରଣ କରାଯାଇଛି । ପାରାଦ୍ୱୀପ ଓ ଜଗତସିଂହପୁର ସହରରେ ବୋଇତ ବନ୍ଦାଣ ଉତ୍ସବ ଉପରେ କଟକଣା ଲଗାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି ।
ସେହିପରି ବିଭିନ୍ନ ମନ୍ଦିରରେ ପୋଲିସ ମୁତୟନ କରାଯାଇଛି । ଶୀତ ବଢୁଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ