ଜଗତସିଂହପୁର: ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଜଗତସିଂହପୁର ଜିଲ୍ଲାର ଗୌରବ ବହନ କରୁଥିବା ତିର୍ତ୍ତୋଲର ଶାରଳା ସୂତା ମିଲ । ଏସବିଆଇ ବ୍ୟାଙ୍କ ସୂତାମିଲକୁ ସିଲ କରିଛି । ଏହି ମିଲ ଦିନେ ଭାରତ ସମେତ ସମଗ୍ର ଏସିଆ ମହାଦେଶରେ ନାଁ କରିଥିବା ବେଳେ ଏବେ ବନ୍ଦ ହେବାକୁ ବସିଛି । ଋଣ ଭାର ଯୋଗୁଁ ବ୍ୟାଙ୍କ ଏହାକୁ ସିଲ କରିଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ।
ଅଡୁଆ ସୂତାର ଫାଶରେ ଶାରଳା ସୂତାକଳ, ଋଣଭାର ଯୋଗୁଁ SBI କଲା ସିଲ୍ 1982 ମସିହାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ ଉଦ୍ୟମରେ ତିର୍ତ୍ତୋଲର ନାଉସିରା ଠାରେ 12 କୋଟି ଟଙ୍କା ବ୍ୟୟରେ ଶାରଳା ସୂତାକଳ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଥିଲା । 1984 ମସିହାରେ ଏହା କାର୍ଯ୍ୟକ୍ଷମ କରାଯିବା ପରେ ଏଠାରୁ ଉତ୍ପାଦିତ ସୂତା ରାଜ୍ୟ ଦେଶ ଓ ଦେଶ ବାହାରକୁ ରପ୍ତାନି କରାଯାଉଥିଲା । ହେଲେ ବୁଣାକାର ମାନଙ୍କୁ ପ୍ରୋତ୍ସାହନର ଅଭାବ ଓ ଶ୍ରମିକ ମାନଙ୍କ ମଧ୍ୟରେ ଆନ୍ଦୋଳନ କ୍ରମଶଃ ଶିଳ୍ପ ସଂସ୍ଥାକୁ ଦୁର୍ବଳ କରି ପକାଇଲା । ଦେଢ଼ ହଜାରରୁ ଅଧିକ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏହି ସୂତାକଳ କ୍ଷତିରେ ଚାଲିବାରୁ ଏହାକୁ ଚଳାଇବା ପାଇଁ 1988 ମସିହାରେ ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ SBI ଶାଖାରୁ ଋଣ କରାଯାଇ ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା ।1999 ମସିହା ମହାବାତ୍ୟାରେ ଏହି ସୂତା କଳ କ୍ଷତିଗ୍ରସ୍ତ ହେବା ପରେ ଏହା ଆଉ ଅଣ୍ଟା ସଳଖି ପାରି ପାରି ନଥିଲା । ସେତେବେଳେର ସରକାର 50 ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ମରାମତି କରାଇଥିଲେ ହେଲେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଏଥିରେ କାର୍ଯ୍ୟ କରୁଥିବା ଦେଢ଼ ହଜାର ଶ୍ରମିକ ଛଟେଇ ହୋଇଥିଲେ । ପରେ ବ୍ୟାଙ୍କର ଋଣ ବଢି ବଢି ଚାଲିଥିଲା । ସୂତାକଳକୁ ବ୍ୟାଙ୍କ ଦେଇଥିବା ଋଣ ବାବଦକୁ 4 କୋଟି 74 ଲକ୍ଷ 37 ହଜର 865 ଟଙ୍କା ହେବାରୁ ବ୍ୟାଙ୍କ ପକ୍ଷରୁ ଜିଲ୍ଲାର ଗୌରବ ବହନ କରୁଥିବା ଏହି ମିଲକୁ ଜବତ କରାଯିବା ସହ ଜମିକୁ ନିଜ ଅକ୍ତିଆରକୁ ନେଇଥିବା SBI ପକ୍ଷରୁ ନୋଟିସ ଲଗାଯାଇଛି । ଯାହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଶାରଳା ସୂତାମିଲ ଯୋଗୁଁ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ପାଇଥିଲେ । ସୂତା ରପ୍ତାନି ଯୋଗୁଁ ଜିଲ୍ଲା ଗୌରବାନ୍ବିତ ହେଉଥିଲା । ମାତ୍ର ଏବେ ସୂତାକଳ ବନ୍ଦ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି । ଯଦି ମିଲ୍ ପୁନଃ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ପୁଣି ହସିଉଠନ୍ତା ଏହି ଅଞ୍ଚଳ ।
ଇଟିଭି ଭାରତ, ଜଗତସିଂହପୁର