ଜଗତସିଂହପୁର: ହନୁମାନଙ୍କ ରୂପା ମୁକୁଟ ସହ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଓ ସୁନା ଗହଣା ଲୁଟି ନେଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ଚମ୍ପା ଢିହି ଗ୍ରାମରେ ଥିବା ହନୁମାନ ମନ୍ଦିରରୁ ଏହି ଚୋରି ହୋଇଛି ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତକାଲି(ବୁଧବାର) ମହାବିଷୁବ ସଂକ୍ରାନ୍ତି ଥିବାରୁ ଗ୍ରାମବାସୀ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୂଜା ଚାଲିଥିଲା । ହେଲେ ଆଜି(ଗୁରୁବାର) ସକାଳୁ ପୂଜକ ମନ୍ଦିର ଖୋଲିବା ସମୟରେ ହୁଣ୍ଡି ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ । ହନୁମାନଙ୍କ ମୁକୁଟ ସହ କିଛି ଅଳଙ୍କାର ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ଗ୍ରାମବାସୀଙ୍କ ପକ୍ଷରୁ ଏ ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ