ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ସମୁଦ୍ର କୂଳରେ ସମ୍ଭାବ୍ୟ ବାତ୍ୟାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ବାତ୍ୟାର ପ୍ରଭାବରେ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେଉଥିବା ବେଳେ ସମୁଦ୍ର ବେଳାଭୂମିକୁ ଯାଉଥିବା ଲୋକଙ୍କୁ ପୋଲିସ ଘଉଡାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
ପାରାଦ୍ବୀପ ସମୁଦ୍ର ଗଭୀର ହୋଇଥିବାରୁ ଅଧିକାଂଶ ସମୟରେ ସମୁଦ୍ର ଜୁଆର ରହିଥାଏ । ବାତ୍ୟା ସମୟରେ ସମୁଦ୍ର ଅଧିକ ଅଶାନ୍ତ ରହିଥିବାରୁ ଲୋକଙ୍କୁ ସମୁଦ୍ର କୂଳକୁ ଯିବାକୁ ବାରଣ କରାଯାଇଛି । ସେହିପରି ପାରାଦ୍ବୀପ ପୋର୍ଟ ପକ୍ଷରୁ ପଣ୍ୟବାହୀ ଜାହାଜ ଗୁଡିକୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୁଦ୍ରରେ ମଧ୍ୟରେ ଅତିକ୍ରମ କରିବାକୁ ଥିବାବେଳେ ଜାହାଜ ଗୁଡିକ କିପରି ସୁରକ୍ଷିତ ଭାବେ ବନ୍ଦରକୁ ଯାତାୟାତ କରିବ ତାକୁ ନେଇ ବ୍ୟବସ୍ଥା କରାଯାଇଛି । ସ୍ଥଳଭାଗରେ ବାତ୍ୟାର ପ୍ରଭାବ ସେପରି ପଡିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ବନ୍ଦର ପକ୍ଷରୁ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ