ଜଗତସିଂହପୁର: ଗୋଟିଏ ମନ୍ଦିର, ଦୁଇ କାହାଣୀ । ପ୍ରଥମଟି ମନ୍ଦିରର ସୃଷ୍ଟିକୁ ନେଇ, ଅନ୍ୟଟି ମାତା ପାର୍ବତୀଙ୍କୁ ନେଇ । ଗୋଟିଏ କାହାଣୀ ଭକ୍ତ ଶୋବନାଙ୍କ ଉପରେ ଆଧାରିତ, ଦ୍ବିତୀୟଟି ମହାବାତ୍ୟାର ଭୟାବହତା ଉପରେ । ମହାବାତ୍ୟାର ତାଣ୍ଡବରୁ ଠାକୁର ବି ବର୍ତ୍ତି ନଥିଲେ ..ଭୋଳାନାଥ ନିଜ ପତ୍ନୀଙ୍କୁ ବଞ୍ଚାଇ ସିନା ଦେଇଥିଲେ, ହେଲେ ସେତେବେଳକୁ ମାତା ପାର୍ବତୀଙ୍କ ପ୍ରତିମା ଭାଙ୍ଗିରୁଜି ଯାଇଥିଲା । ସ୍ତ୍ରୀଙ୍କୁ ଅହେତୁକ ପ୍ରେମ କରୁଥିବା ଶୋବନେଶ୍ବରଙ୍କ ପାଇଁ ହୁଏତ ପାର୍ବତୀଙ୍କ ଅସୁନ୍ଦରିଆ ମୁହଁ କିଛି ସମସ୍ୟା ନଥିଲା, ହେଲେ ମାଆଙ୍କୁ ଏମିତି ଅବସ୍ଥାରେ ଦେଖି ଭକ୍ତ କେମିତି ବା ରହିବ ? ସେଇଥିପାଇଁ ତ ଶୋବନେଶ୍ୱର ମନ୍ଦିରରେ ସ୍ଥାପନା ହୁଅନ୍ତି ଦ୍ବିତୀୟ ପାର୍ବତୀ । ଏ ମନ୍ଦିରର ମହିମା ଯେତେ କହିଲେ ବି କମ୍ ହେବ । ଏଠି ଗୋଟିଏ ସ୍ୱପ୍ନାଦେଶରୁ ସୃଷ୍ଟି ହୁଏ ନୂଆ ଏକ ପରମ୍ପରା । ଭକ୍ତି ଓ ବିଶ୍ୱାର ଉପରେ ଆଧାରିତ ବାବା ଶୋବନେଶ୍ୱରଙ୍କୁ ନେଇ ରହିଛି ଏପରି କାହାଣୀ, ଯାହା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । ସତରେ କ'ଣ ଏପରି ବି ହୁଏ ? ଅବଶ୍ୟ ଏତିକି କୁହାଯାଇପାରେ- ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର ।

ଜଗତସିଂହପୁର ଟାଉନ ଠାରୁ 22 କିମି ଦୂର ଶୋଭା ଗାଁର ଶୋବନେଶ୍ବର ମନ୍ଦିର । ଯେଉଁଠି ଗୋଟିଏ ଶିବ 2ଟି ପାର୍ବତୀଙ୍କର ପୂଜା କରାଯାଏ । କାହିଁ କେଉଁ କାଳରୁ ଏହି ମନ୍ଦିରରେ ଗୋଟିଏ ପାର୍ବତୀଙ୍କ ପୂଜାର୍ଚ୍ଚନା କରାଯାଉଥିଲା । ହେଲେ ସେହି ଭୟଙ୍କର ଘଟଣା 1999 ମସିହାର ମହାବାତ୍ୟା, ଯାହା ଆଜି ବି ସାରା ଓଡିଶାବାସୀଙ୍କ ମନରେ କମ୍ପନ ସୃଷ୍ଟି କରେ, ଶିହରଣ ଉଠିଯାଏ । କାଳରାତିର କରାଳ ତାଣ୍ଡବ ରଚିବା ପରେ ସକାଳର ଦୃଶ୍ୟ ଥାଏ ଅତି ଦାରୁଣ । କୁଢ କୁଢ ଶବ, ଗାଈ, ପଶୁ ପକ୍ଷୀ ସମସ୍ତେ ଲୋଟି ପଡିଥିଲେ । ଆତ୍ମୀୟଙ୍କୁ ହରାଇବାର କାନ୍ଦଣା ଅପେକ୍ଷା ପେଟ ଭିତରର ଭୋକ ଭୋ ଭୋ କାନ୍ଦୁଥିଲା । ନିଜ ସନ୍ତାନ ଉପରେ ପ୍ରକୃତିର ଏପରି କୋପ ମା ବି କେମିତି ସହ୍ୟ କରିଥାନ୍ତେ । ସେ ବି କ୍ଷତବିକ୍ଷତ ହେଲେ । ସେହି କାଳରାତ୍ରୀ ମହାବାତ୍ୟା ଜଗତସିଂହପୁରରେ ରଚିଥିଲା ମୃତ୍ୟୁର ବିଭୀଷିକା । କୁହଯାଏ ଯେ ନିଜ ସନ୍ତାନକୁ ବଞ୍ଚାଇ ନ ପାରି ମା ପାର୍ବତୀ ନିଜକୁ ନିଜେ ଶାସ୍ତି ଦେଲେ । ଆଉ ଏହାର ପରିମାଣ ସ୍ବରୂପ ମାଆଙ୍କ ଆଖି, କାନ ପାଟି ସବୁଠି ରହିଗଲା କ୍ଷତ ଚିହ୍ନ । ପରେ ସବୁ କିଛି ସ୍ବାଭାବିକ ହେବା ପରେ ମହାବାତ୍ୟାର ଝଡରେ ଖଣ୍ଡିଆ ହୋଇଥିବା ମାଆଙ୍କ ପ୍ରତିମାଙ୍କ କଣ ପୂଜା କରାଯାଇପାରେ ! ଏପରି କିଛି ଗାଁ ବଡବଡିଆଙ୍କ ନିଷ୍ପତ୍ତିକ୍ରମେ ମାଆଙ୍କ ନୂତନ ପ୍ରତିମା ସ୍ଥାପନା କରିବାକୁ ଯୋଜନା କରାଗଲା । ଏଥିପାଇଁ ପ୍ରସ୍ତୁତି ବି ଚୂଡାନ୍ତ ସରିଥିଲା । ଖଣ୍ଡିଆ ପ୍ରତିମୂର୍ତ୍ତକୁ ବିସର୍ଜନ କରିବା ସହ ନୂତନ ପ୍ରତିମାର ସ୍ଥାପନା ଯଜ୍ଞ ଓ କଳସୀ ଯାତ୍ରା ମଧ୍ୟ ଶେଷ ହୋଇଥିଲା ।

ତେବେ ଏମିତି କ’ଣ ଘଟିଲା ବା କ’ଣ ହେଲା, ଯାହା ଖଣ୍ଡିଆ ଅର୍ଥାତ ପ୍ରଥମ ପ୍ରତିମୂର୍ତ୍ତକୁ ବିସର୍ଜନ କରାନଯାଇ ଗୋଟିଏ ମନ୍ଦିରରେ ଦୁଇ ଦୁଇ ଜଣଙ୍କୁ ସ୍ଥାପିତ କରାଗଲା...
ଯେଉଁ ସନ୍ତାନଙ୍କୁ ରକ୍ଷା କରିପାରିଲେ ନାହିଁ ବୋଲି ମାଆ ନିଜକୁ ଦଣ୍ଡ ଦେଇଥିଲେ । ଆଜି ତାଙ୍କର ସେହି ସନ୍ତାନମାନେ ତାଙ୍କୁ ତାଙ୍କ ଠାରୁ ଦୂରେଇ ଦେବାକୁ ବସିଛନ୍ତି । ତାଙ୍କ ବାସ ସ୍ଥାନରୁ ବାସନ୍ଦ କରିବାକୁ ବସିଛନ୍ତି । ତେବେ ବିଶ୍ବାସ କରାଯାଏ, ମାତା ପାର୍ବତୀଙ୍କୁ ମହାଦେବଙ୍କ ଠାରୁ ଅଲଗା କରିବା ପୂର୍ବରୁ କ୍ରୋଧିତ ହୋଇଉଠିଥିଲେ ମାଆ । ଆଉ ଶୁଣାଇଥିଲେ ବଜ୍ର ବାଣୀ । ‘ମୋତେ ମୋ ସ୍ଥାନରୁ କେହି ଇଞ୍ଚେ ହେଲେ ବି ଘୂଞ୍ଚାଇବେ ନାହିଁ ’। ସେହି ଦୁଃସାହସର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ବୋଲି ମାଆ ଚେତାଇ ଦେଇଥିଲେ ବୋଲି ଆଜି ବି ଶୋଭା ଗାଁର ଗ୍ରାମବାସୀ ବିଶ୍ବାସ ରଖନ୍ତି । କିନ୍ତୁ ନୂତନ ପ୍ରତିମା ସ୍ଥାପନା ପାଇଁ ସବୁ କିଛି ଚୂଡାନ୍ତ ହୋଇଥିବାବେଳେ ପ୍ରତିମାଙ୍କୁ କେମିତି ମନ୍ଦିରରେ ସ୍ଥାନ ମିଳିବ ! ଏପଟେ ମାଆଙ୍କ ଏପରି ବାଣୀ କାହାରି କିଛି ମୁଣ୍ଡରେ ବୁଦ୍ଧି ପଶୁନଥାଏ । ଶେଷରେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ନିଷ୍ପତ୍ତି କ୍ରମେ ପୁରୁଣା ମୂର୍ତ୍ତିକୁ ବିସର୍ଜନ କରାନଯାଇ, ମନ୍ଦିରର ଗମ୍ଭୀରା ଘରେ ରଖାଗଲା । ମାଆଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ଆଣି ଗମ୍ଭୀରାରେ ସ୍ଥାପନା କରାଗଲା । ନୂତନ ପ୍ରତିମାକୁ ପୁରୁଣା ପ୍ରତିମାଙ୍କ ସ୍ଥାନରେ ଅଧିଷ୍ଠିତ କରାଗଲା । ଅନ୍ୟପଟେ, ମାଆ ଶୁଣାଇଥିବା ବାଣୀ ମଧ୍ୟ ସତ ହେଲା ବୋଲି କେତେକ ବିଶ୍ବାସ ରଖନ୍ତି । ମାଆଙ୍କୁ ନିଜ ସ୍ଥାନରୁ ଉଠାଇ ଆଣି ଗମ୍ଭୀରାରେ ସ୍ଥାପନା କରିଥିବା ପୂଜାରୀଙ୍କ ତିନୋଟି ପୁଅ କିଛି ସମୟର ବ୍ୟବଧାନରେ ମୃତ୍ୟୁବରଣ କଲେ । ସେବେ ଠାରୁ ଆଜି ଯାଏଁ ଏହି ମନ୍ଦିରରେ ଦୁଇଟି ପାର୍ବତୀ ପୂଜା ହୋଇଆସୁଛନ୍ତି ।

କେବଳ ମା’ ନୁହେଁ ବାବା ଭୋଳାଶ୍ବରଙ୍କ ଆର୍ବିଭାବ ମଧ୍ୟ ଅଲୌକିକ...
କୁହାଯାଏ ଭକ୍ତର ଆବେଗରେ ବାବା ଧାଇଁ ଆସିଲେ ଶୋଭା ଗାଁକୁ । ଶୋବନା ନାମକ ଏହି ଭକ୍ତ ପ୍ରତିଦିନ 4 କିମି ଦୂର ଓଚିଣ୍ଡା ଗ୍ରାମରେ ନୀଳକଣ୍ଠେଶ୍ବର ମନ୍ଦିର ଯାଆନ୍ତି । ଭଗବାନ ଦର୍ଶନ ବିନା ସେ ଅନ୍ନପାଣିକୁ ସ୍ପର୍ଶ କରନ୍ତି ନାହିଁ । ଏକଦା ଲଗାଣ ଝଡି ବର୍ଷା ଯୋଗୁଁ ରାସ୍ତାଘାଟରେ ଆଣ୍ଠୁ ଉପରକୁ ପାଣି । ମହାଦେବଙ୍କୁ ଦର୍ଶନ ନକରିପାରି ଘର ଭିତରେ ଅଧିଆ ପଡିଲେ । 21 ଦିନ ଧରି ଅଖିଆ ଅପିଆ ପଡିରହିବା ପରେ ସ୍ବୟଂ ଭୋଳାନାଥ ସ୍ବପ୍ନାଦେଶ ଦେଇ କହିଲେ ‘ମୁଁ ତୋରି ଗାଁରେ ଅଛି’, ଯା ଦେଖିବୁ ଗାଁର ପୂର୍ବ ଉତ୍ତର ଦିଗ ପଡିଆରେ ମଇଁଷି କ୍ଷୀର ପଡିଥିବ । ସେଇଠି ମୁଁ ରହୁଛି । ଏହା ପରେ ପ୍ରଭୁଙ୍କ ଖୋଜୁ ଖୋଜୁ କିଛି ନ ମିଳିବାରୁ ଜଣେ ବ୍ୟକ୍ତି ରାଗି ଯାଇ ମଶାଣିରେ ହିଁ କୋଦାଳକୁ ହାଣି ପକାଇଲେ । ହଠାତ ସେ କୋଦାଳ ଶିବଙ୍କ ଶରୀରରେ ବାଜିବା ପରେ କୋଦାଳଟି ରକ୍ତାକ୍ତ ହୋଇଯାଇଥିଲା । ଆଉ ମାଟି ଖୋଳୁ ଖୋଳୁ ସେଇଠାରୁ ଆର୍ବିଭାବ ହୋଇଥିଲେ ମହାଦେବ । ଯାହା ପରେ ଶୋବନାଙ୍କ ନାମରେ ଶୋବନେଶ୍ବର ମନ୍ଦିର ନାମିତ ହୋଇଥିଲା ।
ବିଶ୍ବାସ ରହିଛି ଏଠି ସମସ୍ତଙ୍କ ମାନସିକ ପୂରଣ ହୋଇଥାଏ । ଯଦି କାହାକୁ ସର୍ପ ଦଂଶନ କରିଥାଏ ତେବେ ତାକୁ ଆଣି ଠାକୁରଙ୍କ ଦୁଆରେ ପକେଇଦେଲେ ସେ ଠିକ ହୋଇଥାଏ ବୋଲି ଶୁଣିବାକୁ ମିଳେ । ଅନ୍ୟ ଦିନ ଅପେକ୍ଷା ପଣା ସଂକ୍ରାନ୍ତିରେ ଏଠି ଭକ୍ତଙ୍କ ଭିଡ ଲାଗିଥାଏ । କାହିଁ କେତେଦୂର ଶୋବନେଶ୍ବରଙ୍କର ମହିମା ବିଷୟରେ ଜାଣିଥିବା ବ୍ୟକ୍ତି ତାଙ୍କର ଟିକିଏ ଦର୍ଶନ ପାଇଁ ଏଠାକୁ ଧାଇଁ ଆସିଥାନ୍ତି । ଆଉ ନିଜ ଇଚ୍ଛା ମୁତାବକ ବର ମାଗିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ