ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ସମନ ଜାରି କରିଛନ୍ତି । ଆସନ୍ତା ଜୁନ ୨ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ଜଗତସିଂହପୁର ସଦର ତହସିଲ ଅନ୍ତର୍ଗତ ଓଡିଶା ପଞ୍ଚାୟତର ମାଟିଆ ସମ୍ପ୍ରଦାୟର ଅଲେଖ ପ୍ରଧାନଙ୍କୁ ତହସିଲଦାର ଜାତିଗତ ପ୍ରମାଣପତ୍ର ଦେଇନଥିଲେ । ଫଳରେ ସେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ।
ଯାହାକୁ ନେଇ ଅଲେଖ ପ୍ରଧାନ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଆସିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା । କିନ୍ତୁ, ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସଂଗଠନ ପକ୍ଷରୁ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । କମିଶନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲ୍ଲାପାଳଙ୍କୁ ଆସନ୍ତା ଜୁନ 2 ତାରିଖ ହଜାର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ