ଜଗତସିଂହପୁର: ଗତକାଲି(ସୋମବାର) ସନ୍ଧ୍ୟା 5ଟା ସମୟରେ ପଞ୍ଚମ ଜିଲ୍ଲା ପରିଷଦ ବୈଠକ ଭର୍ଚୁଆଲି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ 21-21 ଓ ପଞ୍ଚମ ଅର୍ଥ କମିଶନ ଅନୁଦାନ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏଥିରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ । ସାଂସଦ ରାଜଶ୍ରୀ ମଲ୍ଲିକ ବିରିଡି ବ୍ଲକ ସଙ୍ଖାରୀ ସାହି ନିକଟରେ ନିର୍ମାଣାଧୀନ ବିଜୁସେତୁ କନେକ୍ଟିଭିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ବୈଠକରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ ଜିଲ୍ଲାରେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ଷା ଋତୁ ଆସିଥିଲେ ବି ଆଜି ପର୍ଯ୍ୟନ୍ତ ଡ୍ରେନେଜ ବେବସ୍ଥାକୁ ତ୍ୱରାନ୍ୱିତ କରାଯାଇ ପାରିନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ କହିଥିଲେ ।
ଜିଲ୍ଲାର ପଞ୍ଚଦଶ ଅର୍ଥ କମିଶନ 2021-22 ପାଇଁ ପ୍ରଥମ ପର୍ଯ୍ୟାୟରେ 10,63,057 ଟଙ୍କା ଲେଖାଏଁ ମୋଟ 8ଟି ବ୍ଲକ ପାଇଁ 85,04,546 ଟଙ୍କା ଓ ସିଏଫସି ବାବଦରେ ପ୍ରତି ବ୍ଲକ ପାଇଁ 31,89,170 ଟଙ୍କା ମୋଟ 8ଟି ବ୍ଲକ ପାଇଁ 2,55,13,360 ଟଙ୍କା ଅନୁଦାନ ରାଶି ଆସିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ । ସେହିଭଳି ପଞ୍ଚମ ଅର୍ଥ କମିଶନ ଅନୁଦାନ ବାବଦକୁ ସମସ୍ତ 8ଟି ବ୍ଲକ ପାଇଁ 1,16,57,320 ଟଙ୍କା ପ୍ରାପ୍ତ ହୋଇଥିବା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି ପ୍ରକାଶ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ