ଜଗତସିଂହପୁର: ଏରସମା ବ୍ଲକର ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ସ୍ବତପ୍ରତଃ ଭାବେ କମ୍ପାନୀକୁ ପାନ ବରଜ ଦେଉଛନ୍ତି ଲୋକେ । କିଛି ଲୋକଙ୍କ ପ୍ରରୋଚନାରେ ବିରୋଧ କରୁଥିଲେ କିନ୍ତୁ ଏବେ ସେମାନେ ବୁଝିସାରିଥିବାରୁ ଅଧିଗ୍ରହଣ ପାଇଁ ପ୍ରଶାସନକୁ ସହଯୋଗ କରୁଥିବା ମତ ଦେଇଛନ୍ତି ସ୍ଥାନୀୟ ବରଜ ମାଲିକ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଯେଉଁ ଢ଼ିଙ୍କିଆ ପଞ୍ଚାୟତରେ ବିରୋଧିଙ୍କ ମେଳି ରହିଛି ଏବଂ ଗତ ସୋମବାର ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହେବା ସହିତ ଟେକାପଥର ମାଡ଼ ହୋଇଥିଲା, ସେହି ପଞ୍ଚାୟତର ଗୋବିନ୍ଦପୁର ଗ୍ରାମବାସୀ ପ୍ରକଳ୍ପକୁ ସହଯୋଗ ହାତ ବଢାଇବା ଆରମ୍ଭ କରିଛନ୍ତି । ଆଜି ଏରସମା ତହସିଲଦାରଙ୍କ ତତ୍ତ୍ଵାବଧାନରେ ବରଜ ଭଙ୍ଗା ଆରମ୍ଭ ହେବା ସହିତ ଆମ୍ବ, ପଣସ, ସଜନା, କାଜୁ ପ୍ରଭୁତି ଗଛର ଗଣନା ମଧ୍ୟ କରାଯାଇଥିଲା ।
ମଧ୍ୟାହ୍ନ ୨ଟା ସୁଦ୍ଧା ୬ଟି ବରଜ ଅଧିଗ୍ରହଣ କରିଛି ସ୍ଥାନୀୟ ପ୍ରଶାସନ । କୋରୋନା କଟକଣା ଯୋଗୁଁ ପାନ ବରଜରେ ସେଭଳି ଲାଭ ମିଳିପାରୁ ନଥିବାବେଳେ ପରିଶ୍ରମ ଅନୁସାରେ ରୋଜଗାର ମଧ୍ୟ ହେଉ ନାହିଁ । ଆଗରୁ କିଛି ଲୋକଙ୍କ ପ୍ରରୋଚନାରେ ବିରୋଧ କରୁଥିବା ବେଳେ ଏବେ କମ୍ପାନୀକୁ ସହଯୋଗ କରିବାକୁ ସେମାନେ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି କିଛି ସ୍ଥାନୀୟ ବାସିନ୍ଦା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ