ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରବାହିତ ମହାନଦୀ, ପାଇକା, ଓ ଦେବୀ ନଦୀରେ ଆସନ୍ତା ରବିବାର ଅଧିକ ବନ୍ୟାଜଳ ପ୍ରବାହିତ ହେବାକୁ ଥିବାରୁ ଦୁର୍ବଳ ନଦୀବନ୍ଧ ଗୁଡିକ ଚିହ୍ନଟ କରାଯାଇ ସେଥିପ୍ରତି ଦୃଷ୍ଟି ଦେବାକୁ ଜଳ ସମ୍ପଦ ବିଭାଗ ଓ ମହାନଦୀ ସାଉଥ ଡିଭିଜନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ସନ୍ଧ୍ୟା 7. 30 ସୁଦ୍ଧା ମହାନଦୀର ତାରପୁର ଠାରେ ଜଳପତ୍ତନ 10.55 ମିଟର ଥିବା ବେଳେ ତିର୍ତ୍ତୋଲଠାରେ 5. 60 ମିଟର ଓ ଚୌଧୁରୀଗଡା ଠାରେ 2.95 ମିଟର ଜଳ ପ୍ରବାହିତ ହେଉଛି । ତେବେ ତାରପୁର ନିକଟରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାପଡିଛି ।
ସେହିପରି ପାଇକା ନଦୀର ଜଳପତ୍ତନ ଶଙ୍ଖେଶ୍ୱର ନିକଟରେ 22.40 ଫୁଟ ଥିବା ବେଳେ ସେଠାରେ ବିପଦ ସଙ୍କେତ ରହିଛି 22. 75 ଫୁଟ । ସେହିପରି ଦଳେଇ ଘାଇ, ଆଳିପିଙ୍ଗଳ ଓ ମାଛଗାଁ ନିକଟର ଦେବୀ ନଦୀ ବିପଦ ସଙ୍କେତ ତଳେ ଅଛି । ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ହେବାପରେ ବ୍ୟାପକ ଭାବରେ ପରିବା ଚାଷ ନଷ୍ଟ ହୋଇଛି । ନଦୀ ପଠାରେ ହଜାର ହଜାର ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ