ଜଗତସିଂହପୁର: ଦୁଇ ବର୍ଷର ଝିଅ ରାନୀ । ଦୁନିଆ କଣ ଜାଣିନି । ତାକୁ ଏମିତି ଏକ ରୋଗ ଗ୍ରାସ କରିଛି ଯେ ଜୀବନ ସହ ପ୍ରତିଦିନ ସଂଗ୍ରାମ କରୁଛି ସେ । ରାତି ପାହିଲେ ଲୋଡା ହେଉଛି ରକ୍ତ । ଆଉ ଝିଅର ଜୀବନ ବଞ୍ଜାଇବାକୁ ରକ୍ତ ଯୋଗାଡ କରିବା ପାଇଁ ବାର ଦୁଆର ହେଉଛନ୍ତି ବାପାମାଆ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସହର ଉପକଣ୍ଠ ମାର୍କଣ୍ଡପୁର ଆଦିବାସୀ ସାହିରେ। ଗାଁର ଦଶରଥ ସୋରେନ ଓ ସବିତା ସୋରେନଙ୍କ ଦୁଇବର୍ଷର ଝିଅ ଥାଲାସେମିଆରେ ଆକ୍ରାନ୍ତ ହୋଇଛି । ପ୍ରତିଦିନ ରାନୀ ପାଇଁ ରକ୍ତର ଆବଶ୍ୟକତା ରହିଛି ।
ରାନୀ ଦୀର୍ଘଦିନ ଧରି ଅସୁସ୍ଥ ରହି ଆସୁଥିଲା। ଦଶରଥ ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ କଟକ ଶିଶୁ ଭବନ ନେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦଶରଥ ତାଙ୍କୁ କଟକ ଶିଶୁ ଭୁବନରେ ଚିକିତ୍ସା କରାଇଥିଲେ। କୁନିଝିଅ ରାନୀ କୁ 'ଥାଲାସେମିଆ’ ହୋଇଥିବା କହିଥିଲେ ଡାକ୍ତର । ତାକୁ ମାସକୁ 4 ୟୁନିଟ ରକ୍ତ ଦରକାର ବୋଲି କହିଥିଲେ। ଯାହାକୁ ନେଇ ଦଶରଥଙ୍କ ମୁଣ୍ଡରେ ଚଡକ ପଡିଥିଲା। ମୂଲପାତି ଲାଗି ପେଟ ପୋଷୁଥିବା ମଣିଷଟେ କେଉଁଠୁ ପଇସା ଆଣିବ ଯେ ରକ୍ତ କିଣିବ। ସପ୍ତାହକୁ ବାପାମାଆ ଥରେ ଥରେ ରକ୍ତ ଦେଉଥିବା ବେଳେ ଆଉ ଅବଶିଷ୍ଟ ରକ୍ତ ସାହି ପଡୋଶୀଙ୍କ ପାଖରୁ ସଂଗ୍ରହ କରୁଥିବା କହିଛନ୍ତି ରାନୀର ବାପା ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଦିଲୀପ କୁମାର ପଣ୍ଡାଙ୍କୁ ଅବଗତ କରାଇଥିଲେ ଆମ ପ୍ରତିନିଧି । ଏ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଛନ୍ତି। ଏହି ଘଟଣା ଇଟିଭି ଭାରତ ମାଧ୍ୟମରେ ଜାଣିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ସହ ତୁରନ୍ତ ରକ୍ତ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ରକ୍ତ ଅଭାବରୁ କାହାରି ଜୀବନ ବିପଦରେ ପଡିବ ନାହିଁ ବୋଲି ସେ କହିଛନ୍ତି । ଖୁବଶୀଘ୍ର ରାନୀକୁ ସରକାରଙ୍କ ସହାୟତା ମିଳିଲେ ରୋଗକୁ ହରାଇ ପୁଣି ହସି ପାରିବେ ରାନୀ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ